ବେପାରୀଙ୍କ କବ୍‌ଜାରେ ଚାଷୀ ହାଟ

ରସୁଲପୁ୍‌ର, ୨୨।୧୦ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ୧୬ନଂ ଜାତୀୟ ରାଜପଥ ପାଶର୍‌ବସ୍ଥିତ ପରିବା ହାଟ ଚାଷୀ ହାଟ ଭାବେ ପରିଚିତ। ସ୍ଥାନୀୟ ଅଞ୍ଚଳର ଚାଷୀ ବିଭିନ୍ନ କିସମର ପନିପରିବା ଚାଷକରି ଏହି ହାଟକୁ ବିକ୍ରି କରିବାକୁ ଆସନ୍ତି। ଚାଷୀ ଓ ବ୍ୟବସାୟୀଙ୍କ ମେଳରେ ହାଟ ଚଳଚଞ୍ଚଳ ହୋଇଉଠେ।ମାତ୍ର ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଚାଷ ଉଜୁଡି ଯାଇଥିବାରୁ ହାଟରେ ଆଉ ଚାଷୀଙ୍କୁ ଦେଖିବାକୁ ମିଳୁନି। ଏହା ଏବେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ବର୍ଷ ତମାମ ପନିପରିବା ଉପତ୍ାଦନ କରିବାରେ ସିଦ୍ଧହସ୍ତ ଥିବା ଚାଷୀ ଏବେ ହାଟରେ ଖାଉଟି ସାଜିଛି। ପରିବା ଗଦି ବ୍ୟବସାୟୀ(ବାହାର ରାଜ୍ୟରୁ ପରିବା ପରିବହନ କରୁଥିବା ବ୍ୟବସାୟୀ) ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ହାଟ ଚାଲୁଛି। ବାହାର ରାଜ୍ୟର ପରିବା ଆସୁଥିବା ଯୋଗୁ ଦର ଆକାଶଛୁଅଁା ହୋଇଛି। କୌଣସି ପରିବା ୪୦ଟଙ୍କା ତଳକୁ ମିଳୁନାହିଁ। ଫଳରେ ଖାଉଟିମାନଙ୍କ ପାଇଁ ପରିବା କିଣିବା କଷ୍ଟକର ହୋଇପଡ଼ିଛି। ପରିବା ଦର ବଢ଼ିଯାଇଥିବାରୁ ଖାଉଟି ସଂଖ୍ୟା ମଧ୍ୟ କମିଯାଇଛି। ଅପରପକ୍ଷେ ବ୍ୟବସାୟୀମାନେ କରୋନା କଟକଣା ମାନୁ ନ ଥିବା ଅଭିଯୋଗ ହୋଇଛି। ସେମାନେ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ବେଳେ ମାସ୍କ ପିନ୍ଧୁ ନ ଥିବା ଅଭିଯୋଗ ହୋଇଛି। ଏହାଛଡ଼ା ବ୍ୟବସାୟୀ ପରିବା ବୋଝେଇ ଗାଡ଼ି ରାଜପଥରେ ଥୋଇ ମାଲ ଖଲାସ କରୁଛନ୍ତି। ଏହି ହାଟସ୍ଥଳର ରାଜପଥ ଉପରେ ଓଭର ବ୍ରିଜ୍‌ ନିର୍ମାଣ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏନେଇ ବହୁ ସମୟରେ ଗମନାଗମନ ବାଧାପ୍ରାପ୍ତ ହେଉଛି। ବହୁ ସମୟରେ ଦୁର୍ଘଟଣା ଘଟୁଛି। ଏନେଇ ରାଜପଥରୁ ବେଆଇନ ପାର୍କିଂ ହଟାଇବା ସହ ଚାଷୀ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।