Categories: ଖେଳ

ଏହି କାରଣରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ମନା କଲେ ଡି’ଭିଲର୍ସ

ଜୋହାନ୍ସବର୍ଗ,୧୯।୫: ଭଲ ଫର୍ମରେ ଥିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକାର ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ମନା କରି ଦେଇଛନ୍ତି। ତେବେ ଏହା ପଛରେ ଏକ ବଡ଼ କାରଣ ଥିବା କହିଛନ୍ତି ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର।

ଡି’ଭିଲର୍ସଙ୍କ ନିଷ୍ପତ୍ତି ପଛରେ ଏକ କାରଣ ଅଛି, ଯାହାକୁ ମୁଁ ସମ୍ମାନ ଦେଉଛି। ସେ ଏବେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଏହା କେହି ଅସ୍ବୀକାର କରି ପାରିବେ ନାହିଁ। ତାଙ୍କ ଭଳି ଖେଳାଳି ଦଳକୁ ଦରକାର। ଏଥି ଯୋଗୁ ଜଣେ କୋଚ୍‌ ଭାବେ ମୁଁ ପ୍ରୟାସ କରିଥିଲି। ମାତ୍ର ତାଙ୍କ ମତରେ ସେ ଦଳରେ ସାମିଲ ହେଲେ ଜଣେ ଯୁବ ଖେଳାଳିଙ୍କୁ ସ୍ଥାନ ହରାଇବାକୁ ପଡ଼ିବ। ଯାହା ଦକ୍ଷିଣ ଆଫ୍ରିକା ଦଳ ପାଇଁ ଉଚିତ ହେବ ନାହିଁ। ‘ଦ ସିଟିଜେନ’ ନାମକ ଏକ ଓ୍ବେବସାଇଟ୍‌କୁ ବାଉଚର ଏହା କହିଛନ୍ତି। ମଙ୍ଗଳବାର ସିଏସ୍‌ଏ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଦଳ ଘୋଷଣା କରାଯିବା ସହ ୩୭ ବର୍ଷୀୟ ଡି’ଭିଲର୍ସଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦିଆଯାଇଥିଲା।

୨୦୧୮ ମେ’ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ଅଧିନାୟକ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟି୨୦ ମ୍ୟାଚ୍‌ ଖେଳିଥିଲେ।

Share