ଉଚ୍ଛେଦ ହେବ ମର୍ଦ୍ଦରାଜ ଭେଣ୍ଡିଂ ଜୋନ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯିବ। ବ୍ୟବସାୟୀଙ୍କୁ କମାପଲ୍ଲୀ ଓଭର ବ୍ରିଜ ନିକଟରେ ବ୍ୟବସାୟ କରିବାକୁ ପଡ଼ିବ। ଶୁକ୍ରବାର ବହୁ ଭେଣ୍ଡିଂ ଜୋନ ବ୍ୟବସାୟୀ ବିଏମସି କମିଶନର ଜେ.ସୋନାଲଙ୍କ ନିକଟରେ ଫେରାଦ ହୋଇ ଉକ୍ତ ସ୍ଥାନ ପରିଷ୍କାର ନ ଥିବା ଅଭିଯୋଗ କରିଥିଲେ। ତେବେ ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଥିବା ସ୍ଥାନରେ ସଫା ସୁତରା କରାଯିବ ବୋଲି କମିଶନର କହିଥିଲେ। ଏହା ପରେ ବିଏମସି କମିଶନର ଜେ.ସୋନାଲ, ଏନଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତ ଓ ଅତିରିକ୍ତ କମିଶନର ନୀଳମାଧବ ଭୋଇ ଭେଣ୍ଡିଂ ଜୋନ ଗସ୍ତ କରି ପରିବା ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ବ୍ୟବସାୟୀଙ୍କୁ କମାପଲୀ ଓଭର ବ୍ରିଜ ନିକଟରେ ବିଏମସି ପକ୍ଷରୁ ପ୍ରଦାନ କରାଯାଇଥିବା ଅସ୍ଥାୟୀ ସ୍ଥାନକୁ ଥଇଥାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅନେକ ବ୍ୟବସାୟୀ ବିଏମସିର ଏଭଳି ନିଷ୍ପତ୍ତି ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟବସାୟୀମାନେ ଥଇଥାନ ନିମନ୍ତେ ୨ ଦିନ ସମୟ ପ୍ରଦାନ କରିବା ପାଇଁ ବିଏମସି ଅଧିକାରୀଙ୍କୁ କହିଥିଲେ। ଏଥିରେ ବିଏମସି ଅଧିକାରୀ ସହମତି ପ୍ରକାଶ କରିଛନ୍ତି।
ଏହି ଭେଣ୍ଡିଂ ଜୋନରେ ପ୍ରାୟ ୩ଶହ ବ୍ୟବସାୟୀ ଅଛନ୍ତି। କରୋନା ସମୟରେ ବ୍ୟବସାୟୀଙ୍କୁ ରାସ୍ତା କଡରେ ବ୍ୟବସାୟ ପାଇଁ ଅନୁମତି ମିଳିଥିଲା। କରୋନା କଟକଣା ହଟିବା ପରେ ପୁଣି ଥରେ ଭେଣ୍ଡିଂ ଜୋନ ମଧ୍ୟରେ ବ୍ୟବସାୟ କରିବା ପାଇଁ ଅନୁମତି ମିଳିଥିଲା। ଯାହାକୁ ନେଇ ବ୍ୟବସାୟଙ୍କ ମହଲରେ ପ୍ରତ୍ରିିକ୍ରିୟା ପ୍ରକାଶ ପାଇଥିଲା। ଏହାର କିଛି ଦିନ ପରେ ଭେଣ୍ଡିଂ ଜୋନ ମଧ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଭେଣ୍ଡିଂ ଜୋନକୁ ଉଚ୍ଛେଦ କରାଯିବ। ବିଏମସି ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଭେଣ୍ଡିଂ ଜୋନ ନିର୍ମାଣ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ତେବେ ଅଧିକାଂଶ ବ୍ୟବସାୟୀ କମାପଲୀ ଓଭରବ୍ରିଜ ପାର୍ଶ୍ୱକୁ ଥଇଥାନ ହେବା ଦ୍ୱାରା ବ୍ୟବସାୟରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି। ସୂଚନା ଥାଉ କି, ବିଏମସି ପକ୍ଷରୁ କର୍ପୋରେସନ ରୋଡଠାରେ ମଧ୍ୟ ଏଭଳି ଏକ ଭେଣ୍ଡିଂ ଜୋନ ଉଦଘାଟିତ ହୋଇଛି। କିନ୍ତୁ ତାହା ତାହା ଦୀର୍ଘ ଦିନ ଧରି ବ୍ୟବସାୟୀଙ୍କ ଦ୍ୱାରା ବ୍ୟବହୃତ ହୋଇପାରୁ ନାହିଁ। ବର୍ତ୍ତମାନ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଅତ୍ୟାଧୁନିକ ନିର୍ମାଣ ପରେ ବ୍ୟବସାୟୀମାନେ ପୁଣି ଥରେ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।