ନୂଆଦିଲ୍ଲୀ, ୨୩ା୧୧ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆସନ୍ତାବର୍ଷ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଲାଗି ଦିନ ଧାର୍ଯ୍ୟ କରିଛି। ଏହି ବ୍ୟୟବହୁଳ ଟି୨୦ ଲିଗ୍ ୨୦୨୫ ମାର୍ଚ୍ଚ ୧୪ରୁ ମେ ୨୫ ପର୍ଯ୍ୟନ୍ତ ହେବ। ବିସିସିଆଇ ଏହାଛଡ଼ା ଇଭେଣ୍ଟର ୨୦୨୬ ଓ ୨୦୨୭ ସିଜନ କେବେ ହେବ ସେ ସମ୍ପର୍କରେ ସୂଚନା ଦେଇଛି। ରବିବାରଠାରୁ ଜେଦାହଠାରେ ହେବାକୁଥିବା ଦୁଇ ଦିନିଆ ମେଗା ଖେଳାଳି ନିଲାମିରେ ଅତିରିକ୍ତ କେତେଜଣ ଖେଳାଳିଙ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ବାରମ୍ବାର ଆଘାତଜନିତ ସମସ୍ୟାରେ ରହୁଥିବା ଇଂଲଣ୍ଡ ପେସ୍ ବୋଲର ଜୋଫ୍ରା ଆର୍ଚର, ଭାରତରେ ଜନ୍ମିତ ଆମେରିକୀୟ ପେସର ସୌରଭ ନେତ୍ରାଭାଲକର ଏବଂ ଅନ୍କ୍ୟାପ୍ଡ ମୁମ୍ବାଇ ଉଇକେଟକିପର-ବ୍ୟାଟର ହାର୍ଦ୍ଦିକ ତାମୋର। ବିସିସିଆଇ ଆଇପିଏଲ୍କୁ ନେଇ ଏହାର ଯୋଜନା ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜ୍ଗୁଡ଼ିକୁ ଅବଗତ କରାଇଛି। ଟୁର୍ନାମେଣ୍ଟର ୨୦୨୬ ସଂସ୍କରଣ ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ଏବଂ ଗ୍ରାଣ୍ଡ ଫିନାଲେ ପାଇଁ ମେ ୩୧ ଦିନ ଧାର୍ଯ୍ୟ କରାଯାଇଛି। ୨୦୨୭ ସଂସ୍କରଣ ପୁଣି ଥରେ ମାର୍ଚ୍ଚ ୧୪ରେ ଆରମ୍ଭ ହେବ। ଫାଇନାଲ ୩୦ ତାରିଖରେ ହେବ। ସମସ୍ତ ୩ ଫାଇନାଲ ରବିବାରକୁ ରଖାଯାଇଛି। ବିସିସିଆଇ ଆହୁରି ମଧ୍ୟ ଆଇପିଏଲ୍ ମ୍ୟାଚ ସଂଖ୍ୟା ବୃଦ୍ଧି କରିଛି। ଏହା ସାଢେ ୧୦ ସପ୍ତାହ ଧରି ଚାଲିବ। ଚଳିତବର୍ଷ ଆଇପିଏଲ୍ରେ ଆର୍ଚରଙ୍କୁ ସ୍ଥାନ ମିଳି ନ ଥିଲା। କହୁଣିରେ ଇଞ୍ଜୁରୀ ଯୋଗୁ ସେ ୨୦୨୩ ସଂସ୍କରଣରେ ତାଙ୍କ ଦଳ ତରଫରୁ ସମସ୍ତ ମ୍ୟାଚ ଖେଳି ପାରି ନ ଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍)ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍ରେ ନେତ୍ରାଭାଲକରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଆୟୋଜକ ଦେଶ ୟୁଏସ୍ଏ ୮ରେ ପ୍ରବେଶ କରିପାରିଥିଲା। ଏହି ପୂର୍ବତନ ୧୯ ବର୍ଷରୁ କମ୍ ଭାରତୀୟ ଖେଳାଳି ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଖେଳିଛନ୍ତି। କମ୍ପ୍ୟୁଟର ଇଞ୍ଜିନିୟରିଂ ପଢିବା ଲାଗି ସେ ୟୁଏସ୍ଏକୁ ପଳାଇଥିଲେ। ବର୍ତ୍ତମାନ ସେ ଓରାକଲ ନାମକ ଏକ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି। ଆମେରିକାରେ ଯାଇ ବସବାସ କରିବା ପରେ ୟୁଏସ୍ ଖେଳାଳିରେ ପରିଣତ ହୋଇଥିବା ଉନ୍ମୁକ୍ତ ଚାନ୍ଦ ଟି୨୦ ବିଶ୍ୱକପ୍ରେ ଖେଳି ନ ଥିଲେ ମଧ୍ୟ ତାଙ୍କ ନାମ ଆଇପିଏଲ ଖେଳାଳି ତାଲିକାରେ ସ୍ଥାନ ପାଇବା ଏବଂ ନେତ୍ରାଭାଲକରଙ୍କ ନାମ ତାଲିକାରେ ସାମିଲ କରା ନ ଯିବାକୁ ନେଇ ଅନେକେ ଅସନ୍ତୁଷ୍ଟ ଥିଲେ।


