ଛତ୍ରଭଙ୍ଗ ଦେଲେ ମାଓବାଦୀ: ମିଳିଲା ୩୦୩ ଅଫୁଟା ଗୁଳି

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ପୋଲିସକୁ ସଫଳତା ମିଳିଛି। ଗତ ୨୦ ତାରିଖରେ ଏହି ଗୁଳି ବିନିମୟ ହୋଇଥିଲା। ପରେ ତଲାସୀ ବେଳେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସାହାୟୀ ମୀନା କହିଛନ୍ତି। ଘଟଣାସ୍ଥଳରୁ ୩୦୩ ଅଫୁଟା ଗୁଳି, ଔଷଧ, ଛତା, କିଟ୍‌ ବ୍ୟାଗ୍‌, ପୋଷାକ, ମୋବାଇଲ ଚାର୍ଜର, ଟର୍ଚ୍ଚ ଲାଇଟ୍‌, ଛୁରି, ସ୍କେଲ୍‌, କଇଁଚି ସହ ବହୁ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି। ୨୦ରେ ତୁଳସୀ ପାହାଡ଼ ନିକଟସ୍ଥ କିରିମିଟି ଜଙ୍ଗଲରେ ମାଓବାଦୀ ନେତା ସୁରେଶଙ୍କ ନେତୃତ୍ୱରେ ଏକ ଶିବିର ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।