ଜିଲାରେ ମାଓବାଦୀ କାର୍ଯ୍ୟକଳାପ କମିଛି: ଡିଜିପି ଅଭୟ

କୋରାପୁଟ,୨୯ା୮(ସ୍ବ.ପ୍ର.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଆସି ସ୍ଥାନୀୟ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲାର କରୋନା ସ୍ଥିତି, ମାଓବାଦୀ ସମସ୍ୟା, ଆଇନ ଶୃଙ୍ଖଳା, ଗଞ୍ଜେଇ ଚାଷ ଓ ଚୋରାଚାଲାଣ ଉପରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଜିଲାର ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷକରି ମାଓବାଦୀ କାର୍ଯ୍ୟକଳାପ ନେଇ ବିଏସ୍‌ଏଫ୍‌ଓ ଏସ୍‌ଓଜି, କୋବ୍ରା ବାଟାଲିଅନର ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଜିଲାରେ ମାଓବାଦୀ କାର୍ଯ୍ୟକଳାପ କମିଛି ବୋଲି ସୂଚନା ଦେଇଛନ୍ତି।
ସେହିପରି ବର୍ଷକ ମଧ୍ୟରେ ଜିଲାରେ ୪୦ ହଜାର କେଜି ଗଞ୍ଜେଇ ଓ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଏବଂ ୮୩ ଲକ୍ଷ ଟଙ୍କାର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଜିଲାରେ ଗଞ୍ଜେଇ କାରବାର ଉପରେ ଜିଲା ପୋଲିସ ଦୃଢ଼ ଭାବେ କାର୍ଯ୍ୟାନୁଷ୍ଠାନ ନେଇ ସଫଳତା ପାଇଥିବାରୁ କୋରାପୁଟ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୋଙ୍କ ସମେତ ତାଙ୍କ ସମସ୍ତ ଟିମ୍‌କୁ ଡିଜିପି ସାଧୁବାଦ ଜଣାଇଛନ୍ତି। ଏହି ବୈଠକରେ ପୋଲିସ ଗୋଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେଶନ, କୋରାପୁଟ ଏସ୍‌ପି, ଏସ୍‌ଓଜି କମାଣ୍ଡାଣ୍ଟ, ବିଏସ୍‌ଏଫ୍‌, କୋବ୍ରା, ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।