ଉଧେଇ ପାରୁନାହାନ୍ତି ବହୁ ପ୍ରାଣୀ

ଲିଙ୍ଗରାଜ ରାଉତ
ବାରଙ୍ଗ, ୧୦।୧୨: ବିଶ୍ୱସ୍ତରୀୟ ହେବ ପ୍ରାଣୀଉଦ୍ୟାନ ନନ୍ଦନକାନନ। ବଦଳିବ ଏହାର ଚେହେରା। ବୃଦ୍ଧି ପାଇବ ବନ୍ୟପ୍ରାଣୀଙ୍କ ସଂଖ୍ୟା। ନୂଆ ନୂଆ ପ୍ରଜାତିକୁ ଦେଖିବେ ପର୍ଯ୍ୟଟକ। ଏଥିପାଇଁ ଦେଶବିଦେଶରୁ ଅଣାଯାଉଛି ପଶୁପକ୍ଷୀ। ଏପରି କି ବଂଶାନୁକ୍ରମିକ ଓ ରକ୍ତସମ୍ପର୍କ ମିଳନରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଚାଲିଛି ପ୍ରୟାସ। ହେଲେ କିଛିବର୍ଷର ଉଦ୍ୟମ ସତ୍ତ୍ୱେ ଅନେକ କ୍ଷେତ୍ରରେ ମିଳିପାରୁନାହିଁ ସଫଳତା। ବନ୍ୟଜନ୍ତୁଙ୍କ ବଂଶବୃଦ୍ଧି, ନିଃସଙ୍ଗ ପ୍ରାଣୀଙ୍କୁ ସାଥୀ ଦେବାରେ ଏକପ୍ରକାର ବିଫଳ ହୋଇଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଏହି କାରଣରୁ ନନ୍ଦନକାନନରେ କିଛି ପ୍ରଜାତିର ପଶୁପକ୍ଷୀଙ୍କ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମିଯାଉଛି। ଏଠାରେ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ଅନେକ କୋଟି ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ବିଦେଶୀ ପ୍ରାଣୀଙ୍କୁ ବଞ୍ଚାଇ ରଖାଯାଇ ପାରୁନାହିଁ। ନନ୍ଦନକାନନରେ ବହୁ ପ୍ରାଣୀ ଉଧେଇ ପାରୁ ନ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ୨୦୨୨ ସେପ୍ଟେମ୍ବର ସୁଦ୍ଧା ନନ୍ଦନକାନନରେ ସମୁଦାୟ ୧୬୧ ପ୍ରଜାତିର ୪,୦୫୪ ପଶୁପକ୍ଷୀ ଅଛନ୍ତି। ତନ୍ମଧ୍ୟରେ ୧,୪୫୨ ଅଣ୍ଡିରା, ୧,୬୯୧ ମାଈ। ସେହିପରି ୯୧୧ ପ୍ରାଣୀଙ୍କ ଲିଙ୍ଗ ନିରୂପଣ ହୋଇନାହିଁ। ସାଥୀ ନ ଥିବାରୁ ୩୨ ପ୍ରଜାତିର ପ୍ରାଣୀ ନିଃସଙ୍ଗ ଜୀବନ ବିତାଉଛନ୍ତି। ସେହିପରି ଗତ ୬ବର୍ଷ ମଧ୍ୟରେ ନନ୍ଦନକାନନକୁ ୧୨୮ ପ୍ରାଣୀ କିଣା ହୋଇ ଆସିଥିବାବେଳେ ଏହି ସମୟରେ ୧୦୬ ପଶୁପକ୍ଷୀ ହସ୍ତାନ୍ତର କରାଯାଇଛି। ଅଦଳବଦଳ ଏବଂ କିଣା ହୋଇଥିବା ପଶୁପକ୍ଷୀଙ୍କ ମଧ୍ୟରୁ ୧୧ଟିର ମୃତ୍ୟୁ ଘଟିଛି। ତେବେ ବାହାରୁ ଆସିଥିବା ବନ୍ୟପ୍ରାଣୀଙ୍କ ବଂଶବୃଦ୍ଧି ପ୍ରକ୍ରିୟା ଯେତିକି ନୈରାଶ୍ୟଜନକ, ସେତିକି ବ୍ୟୟବହୁଳ ସାବ୍ୟସ୍ତ ହୋଇଛି।
୨୦୧୭ରେ ନନ୍ଦନକାନନକୁ ୩୯ ପଶୁପକ୍ଷୀ ଅଣାଯାଇଥିବାବେଳେ ପ୍ରତିବଦଳରେ ୨୨ଟି ଦେବାକୁ ପଡ଼ିଛି। ସେହିପରି ୮ ପ୍ରାଣୀ କିଣାହୋଇ ଆସିଛନ୍ତି। ୨୦୧୮ରେ ୨୩ ପଶୁପକ୍ଷୀ ଆସିଥିବାବେଳେ ୨ ଜଳହସ୍ତୀ ଦେବାକୁ ପଡ଼ିଛି। ୨୦୧୯ରେ ୨୫ଟି ପ୍ରାଣୀ ଅଣାଯାଇଥିଲା। ତନ୍ମଧ୍ୟରୁ ୮ଟି କିଣାହୋଇ ଏବଂ ୧୧ଟି ଉପହାର ସୂତ୍ରରେ ପାଇଥିଲା ନନ୍ଦନକାନନ। ପୁନର୍ବାର ୨ ଜଳହସ୍ତୀକୁ ନନ୍ଦନକାନନକୁ ଦେବାକୁ ପଡ଼ିଥିଲା। ୨୦୨୦ରେ ୧୫ ନୂଆ ପଶୁପକ୍ଷୀ ଆସିଥିବାବେଳେ ୧୫ ପଶୁପକ୍ଷୀକୁ ହସ୍ତାନ୍ତର କରିବାକୁ ପଡ଼ିଛି। ୨୦୨୧ରେ ୨୬ ନୂଆ ପଶୁପକ୍ଷୀ ଅଣାଯାଇଥିବାବେଳେ ୬୫ ପଶୁପକ୍ଷୀଙ୍କୁ ଦେବାକୁ ପଡ଼ିଛି। ଏହାପରଠାରୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟା କିମ୍ବା କ୍ରୟ କରି ଆଣିବା ଯୋଜନା ବନ୍ଦ ହୋଇଯାଇଛି।
ଇତିମଧ୍ୟରେ ଲିଭିଷ୍ଟୋନ୍‌, ଟୁରାକୋ, ସୁନେଲି ଫିଜାଣ୍ଟ, ହଳଦିଆ ପିଠି ଆଲରୀ, ଷ୍ଟାରଫ୍ରିନ୍ସ, ବାର୍ବିି କପୋତ, ଅମ୍ବେଲାକକାଟୋ, ଲେସର ସଲଫର କକାଟୋ, ବାଦୁଡି, ପେଚା, ମୁନିଆ, ଲାଲାମୁନିଆ, କଳାମୁଣ୍ଡିଆ ମୁନିଆ, ସାରସପକ୍ଷୀ, ଶାରୀ, ଚାମଚ ଥଣ୍ଟିଆ, ଧଳାପିଠିଆ ଶାଗୁଣା, ଶଙ୍ଖଚିଲ, କୋଚିଲାଖାଇ ସମେତ ୨ ବଗଜାତୀୟ ପକ୍ଷୀକୁ ମିଶାଇ ମୋଟ୍‌ ୨୦ ପ୍ରଜାତିର ପକ୍ଷୀ ଖୁଆଡ଼ରେ ଏକାକୀ ଜୀବନ ବିତାଉଛନ୍ତି। ସେହିପରି ଜିରାଫ, ଆଫ୍ରିକୀୟ ସିଂହ, ନାଲିହାତୀଆତାମାରିନ, କ୍ୟାପଚୁନ, ନାଲି ଇଗୁଆନା, ଚିଙ୍କାରା ହରିଣ, ବୋଡ଼ା, ବଉଳା କୁମ୍ଭୀର, ଅହିରାଜ, ବେଲେରା ମୂଷା, ଶାଳିଆ ପତନିଙ୍କ ସମେତ ପାଣି ଜାତୀୟ କଇଁଛକୁ ମିଶାଇ ୧୨ ପ୍ରଜାତି ସାଥୀ ଅପେକ୍ଷାରେ ଅଛନ୍ତି। ଅନ୍ୟପଟେ ନନ୍ଦନକାନନର ବିଭିନ୍ନ ଖୁଆଡ଼ରୁ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତି ଲୋପ ପାଇଯାଇଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ନନ୍ଦନକାନନ ଉପନିର୍ଦ୍ଦେଶକ ଡ.ସଞ୍ଚତ୍ତ କୁମାର କୁହନ୍ତି, ନୂଆ ଜୀବଜନ୍ତୁ ଆଣିବା ପାଇଁ ୭ଟି ଜାତୀୟ ଚିଡ଼ିଆଖାନା ଏବଂ ଗୋଟିଏ ଅନ୍ତର୍ଜାତୀୟ ଚିଡ଼ିଆଖାନା ସହିତ କଥାବର୍ତ୍ତା ସରିଛି। କେବଳ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସ୍ବୀକୃତିକୁ ଅପେକ୍ଷା କରାଯାଇଛି। ଯେଉଁମାନଙ୍କ ବଂଶବୃଦ୍ଧି ହେଉନାହଁି, ସେମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ପୁଷ୍ଟିକର ଖାଦ୍ୟ, ଆବଶ୍ୟକ ଚିକିତ୍ସା କରାଯିବା ସହ ଯେପରି ପ୍ରଜନନ ହୋଇପାରିବ ସେଥିପ୍ରତି ଉଦ୍ୟମ କରାଯାଉଛି। ଇତିମଧ୍ୟରେ ଜଙ୍ଗଲୀ କୁକୁର, ଗଧିଆ, କଲରାପତରିଆ ବାଘର ମିଳନ ହୋଇଥିବାରୁ ସେମାନଙ୍କ ବଂଶବୃଦ୍ଧି ହେବା ଆଶା କରାଯାଉଛି।
ରୋଗଗ୍ରସ୍ତ କରୁଛି ଆନୁବଂଶିକ ମିଳନ
ନନ୍ଦନକାନନରେ ଜନ୍ମିତ ବନ୍ୟପ୍ରାଣୀଙ୍କ ଆୟୁ କମୁଛି। ସେମାନେ ଶୀଘ୍ର ରୋଗାକ୍ରାନ୍ତ ହୋଇପଡୁଥିବା ପରିଲକ୍ଷିତ ହୋଇଛି। ଏହା ପଛର କାରଣ ସମଜାତୀୟ ଆନୁବଂଶିକ ମିଳନ ବୋଲି କୁହାଯାଉଛି। ତେଣୁ ବିଦେଶରୁ ନୂତନ ପଶୁପକ୍ଷୀଙ୍କୁ ଆଣି ନୂଆ ବଂଶ ସୃଷ୍ଟି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି। ଏଥିସହ ନିଃସଙ୍ଗ ଜୀବନ ବିତାଉଥିବା ପ୍ରାଣୀଙ୍କ ପାଇଁ ସାଥୀ ଯୋଗାଡ଼ କରି ବଂଶବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାକୁ ଅଧିକ ଭରସା କରୁଛନ୍ତି କର୍ତ୍ତୃପକ୍ଷ। ହେଲେ ଏଥିରେ ମାତ୍ରାଧିକ ଅର୍ଥ ଖର୍ଚ୍ଚ ହେଉଛି। ଦେଶ ମଧ୍ୟରୁ ପ୍ରାଣୀ ଅଦଳବଦଳ ଲାଗି ଆବଶ୍ୟକ ଗସ୍ତଖର୍ଚ୍ଚ, ସେମାନଙ୍କ ଖାଦ୍ୟପେୟ ବାବଦରେ ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିଦେଶରୁ ପଶୁପକ୍ଷୀ ଆଣିବାରେ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଡୁଛି।
ନୂଆ ବନ୍ୟପ୍ରାଣୀଙ୍କ ଆବଶ୍ୟକତା ଅନୁଯାୟୀ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ଏନ୍‌କ୍ଲୋଜର ନିର୍ମାଣ କରାଯାଉଛି। ନନ୍ଦନକାନନରେ ବନ୍ୟପ୍ରାଣୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ୩ ଡାକ୍ତର, ୨ ଏଲ୍‌ଆଇ ଅଛନ୍ତି। ଏହାକୁ ବାଦ୍‌ଦେଲେ ଉପନିର୍ଦ୍ଦେଶକ, ରେଞ୍ଜର, ଏସିଏଫ୍‌ ମଧ୍ୟ ସହଯୋଗ କରୁଛନ୍ତି। ଆବଶ୍ୟକତା ଅନୁଯାୟୀ ଓୟୁଏଟିର ସହାୟତା ନିଆଯାଉଛି। ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ପ୍ରାଣୀଙ୍କ ବଂଶବୃଦ୍ଧି ନ ହେବା ଚିନ୍ତାର ବିଷୟ ପାଲଟିଛି। ପରିଚାଳନାଗତ ତ୍ରୁଟି ସାଙ୍ଗକୁ ଠିକ୍‌ ସମୟରେ ରୋଗ ନିରୂପଣ ହୋଇ ନ ପାରିବାରୁ ବହୁ ପଶୁପକ୍ଷୀ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ବଂଶବୃଦ୍ଧିରେ ପ୍ରମୁଖ ଅନ୍ତରାୟ ବୋଲି କୁହାଯାଉଛି।
ତିଷ୍ଠୁନାହାନ୍ତି ଜେବ୍ରା
ନନ୍ଦନକାନନର ପରିବେଶ ଜେବ୍ରାଙ୍କ ପାଇଁ ପାଲଟିଛି ଅଭିଶାପ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଦେଶ ଏବଂ ବିଦେଶରୁ ବିଭିନ୍ନ ସମୟରେ ଏହି ତୃଣଭୋଜୀ ପ୍ରାଣୀଙ୍କୁ ଅଣାଯାଉଥିବାବେଳେ ସେମାନେ ପ୍ରାଣୀ ଉଦ୍ୟାନର ପରିବେଶ ସହିତ ଖାପଖୁଆଇ ପାରୁନାହାନ୍ତି। ୧୯୯୭ ମାର୍ଚ୍ଚ ୨୩ରେ ଛୁଆ ହାତୀ ‘ବେଗମ୍‌’ ବଦଳରେ ଇସ୍ରାଏଲ୍‌ରୁ ୨ଟି ଅଣ୍ଡିରା ଏବଂ ୩ ମାଈ ଜେବ୍ରା ଅଣାଯାଇଥିଲା। ଦୀର୍ଘ ୨ବର୍ଷ ପରେ ମାତ୍ର ଗୋଟିଏ ଛୁଆ ଜନ୍ମ ହୋଇଥିଲା। ଏହାର ନାମକରଣ କରାଯାଇଥିଲା ‘ସବିତା’। ତେବେ ଏହାପରେ ସେମାନଙ୍କ ମୃତ୍ୟୁର ପର୍ବ ଆରମ୍ଭ ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ‘ସବିତା’କୁ ବାଦ୍‌ଦେଲେ ଅନ୍ୟ ସମସ୍ତେ ବିଭିନ୍ନ କାରଣରୁ ଆଖି ବୁଜିଦେଇଥିଲେ। ଏହାପରେ ନିଃସଙ୍ଗ ଜୀବନ ବିତାଉଥିବା ‘ସବିତା’ ପାଇଁ ସାଥୀ ଖୋଜିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ୨୦୧୨ ମାର୍ଚ୍ଚ ୧୦ରେ ପଞ୍ଜାବ ଛତବୀର ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା ଏକ ଅଣ୍ଡିରା ଜେବ୍ରା। ତେବେ ଆସିବାର ମାତ୍ର ୨ ମାସ ମଧ୍ୟରେ ‘ସବିତା’ ସହ ମିଳନ ହେବା ପରେ ସାଥୀଟିର ମୃତ୍ୟୁ ଘଟିଲା। ଧୀରେ ଧୀରେ ‘ସବିତା’ ମଧ୍ୟ ରୋଗଗ୍ରସ୍ତ ହୋଇପଡ଼ିଲା। ଶେଷରେ ୨୦୧୫ ଜାନୁୟାରୀ ୬ରେ ସେ ଆଖି ବୁଜିଦେଲା। ଏହାପରେ ପୁନର୍ବାର ଇସ୍ରାଏଲ୍‌ରୁ ୨୦୧୫ ସେପ୍ଟେମ୍ବର ୧୩ରେ ୪ଟି ଜେବ୍ରା ଅଣାଯାଇଥିଲା। କିନ୍ତୁ ସେମାନେ ମଧ୍ୟ ତିଷ୍ଠିପାରିଲେ ନାହିଁ। ୨୦୧୭ରେ ସେପ୍ଟେମ୍ବର ୨୪ରେ ଶେଷ ଜେବ୍ରାର ମୃତ୍ୟୁ ସହିତ ନନ୍ଦନକାନନ ଜେବ୍ରାଶୂନ୍ୟ ହୋଇଯାଇଛି।
ଜିରାଫ୍‌ ଖୁସିରେ ଗ୍ରହଣ
ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଜିରାଫ୍‌ ଆଣିବା ଲାଗି ୨୦୦୮ରେ ପ୍ରକ୍ର୍ରିୟା ଆରମ୍ଭ ହୋଇଥିଲା। ତଦନୁଯାୟୀ କୋଲକାତା ଚିଡ଼ିଆଖାନାରୁ ସେହିବର୍ଷ ମେ’ ୨୨ରେ ନନ୍ଦନକାନନର ଟିମ୍‌ ଏକ ଜିରାଫ୍‌କୁ ନେଇ ବାହାରିଥିଲା। ତେବେ ୨୩ ତାରିଖରେ ରାସ୍ତାରେ ବିଦ୍ୟୁତ୍‌ ଦୁର୍ଘଟଣାର ଶିକାର ହେବା ପରେ ଉକ୍ତ ଜିରାଫ୍‌କୁ ପୁନର୍ବାର ଫେରାଇ ନିଆଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଥିଲା। ଉକ୍ତ ଜିରାଫ୍‌କୁ ଆଣିବା ପାଇଁ ନନ୍ଦନକାନନକୁ ୨୨ଟି ପଶୁପକ୍ଷୀଙ୍କୁ ଦେବାକୁ ପଡ଼ିଥିଲା। ଏହାପରେ ୨୦୧୨ ଜୁଲାଇ ୫ରେ ପୁନର୍ବାର ବିହାର ରାଜ୍ୟ ପାଟଣା ଜୁ’ରୁ ଜିରାଫ୍‌ ‘ଖୁସି’କୁ ଅଣାଯାଇଥିଲା। ସେହିପରି ୨ ସିମ୍ପାଞ୍ଜି ବଦଳରେ ୨୦୧୬ ଫେବୃୟାରୀ ୨୪ରେ କୋଲକାତାରୁ ଜିରାଫ୍‌ ‘ଜୟ’କୁ ଅଣାଯାଇଥିବାବେଳେ ମାତ୍ର ୪ ଦିନ ପରେ ଅର୍ଥାତ୍‌ ୨୯ ତାରିଖରେ ଏହାର ମୃତ୍ୟୁ ଘଟିଥିଲା। ‘ଜୟ’ ହସ୍ତାନ୍ତରଣ ପ୍ରକ୍ରିୟାରେ ୭ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ନନ୍ଦନକାନନରେ ଜିରାଫ ବଂଶବୃଦ୍ଧି ଖୁସିରେ ଗ୍ରହଣ ଲାଗିଥିବାବେଳେ ଏଠାରେ ଥିବା ଏକମାତ୍ର ମାଈ ଜିରାଫ ‘ଖୁସି’ ଏବେ ନିଃସଙ୍ଗ ଜୀବନ ବିତାଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri