ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷି ଛିଲ୍ଲର । ଏହା ତାଙ୍କର ଡେବ୍ୟୁ ଫିଲ୍ମ । ଏବେ ଏବେ ମାନୁଷି ବଲିଉଡ୍‌ରେ ପାଦ ଦେଇଥିବା ବେଳେ ଏହା ତାଙ୍କ ପାଇଁ ଯେତିକି ରୋମାଞ୍ଚକର ତାଙ୍କୁ ମଧ୍ୟ ଚମକାଇବା ଭଳି କିଛି କାମ କରୁଛନ୍ତି ତାଙ୍କର ସହଯୋଗୀ, ପ୍ରୟୋଜକ ତଥା ନିର୍ଦ୍ଦେଶକ । ଗତ ଶନିବାର ମାନୁଷି ତାଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ପୃଥ୍ୱିରାଜ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ପଠାଇଥିବା ଜଣାପଡିଛି । ନିଜେ ମାନୁଷି ସୋସିଆଲ ମିଡିଆରେ ଏହାକୁ ଶେୟାର କରିଛନ୍ତି ।
ଜନ୍ମଦିନ ସକାଳୁ ସକାଳୁ ମାନୁଷିଙ୍କ ପାଖରେ ପହଞ୍ଚିଥିଲା ଏକ ସରପ୍ରାଇଜ୍ ଗିଫ୍ଟ । ଏକ ରାଜକୀୟ ବାକ୍ସରେ ସୁନ୍ଦର ଭାବେ ଏହାକୁ ପ୍ୟାକ୍ କରାଯାଇଥିଲା । ଏହାକୁ ଖୋଲିବାକୁ ମାନୁଷିଙ୍କ ଆଗ୍ରହ ବି ବଢିଯାଇଥିଲା । ତେବେ ସେହି ବାକ୍ସରେ ପୃଥ୍ୱିରାଜର ନିର୍ମାତା ଆଦିତ୍ୟ ଚୋପ୍ରା ଓ ନିର୍ଦ୍ଦେଶକ ଡା ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ମାନୁଷିଙ୍କ ପାଇଁ ସେ ଫିଲ୍ମରେ ପିନ୍ଧିଥିବା ଏକ ସ୍ୱତନ୍ତ୍ର ପୋଷାକ ପଠାଇଥିଲେ । ଏହି ଉପହାର ଖୋଲିବା ପରେ ସ୍ୱତନ୍ତ୍ର ପୋଷାକଟିକୁ ଦେଖି ମାନୁଷି ଖୁବ ଖୁସି ହୋଇଯାଇଥିଲେ । ଆଉ ଏହାର ଏକ ଭିଡିଓ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର ବି କରିଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମ ପୃଥ୍ୱିରାଜରେ ଅକ୍ଷୟ କୁମାର ପୃଥ୍ୱିରାଜଙ୍କ ଭୂମିକାରେ ନଜର ଆସୁଥିବା ବେଳେ ମାନୁଷି ତାଙ୍କ ପତ୍ନୀ ସଂୟୋଗିତା ଭୂମିକାରେ ନଜର ଆସିବେ ।

 

Share