Categories: ବାଣିଜ୍ୟ

ମାନୁଫାକ୍‌ଚରିଂକୁ ମିଳିବ ଅଧିକ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୪।୭: ଘରୋଇ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛି। ଏହି କ୍ଷେତ୍ରଗୁଡ଼ିକୁ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ସୁବିଧା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ଭାଇରସ୍‌ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ନୂଆ ନିବେଶ ଆକୃଷ୍ଟ କରିବା ଲାଗି ସରକାର ଏଭଳି ଯୋଜନା ହାତକୁ ନେଇଥିବା ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ଭାରତର ଜିଡିପି ଚଳିତ ବର୍ଷ ପ୍ରାୟ ୧୦% ଖସିବା ନେଇ ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ବଜାରରେ ଚାହିଦା ଏବଂ ଯୋଗାଣ ପ୍ରଭାବିତ ହୋଇ ରହିଛି। କଳକାରଖାନାର କାର୍ଯ୍ୟ ଟ୍ରାକ୍‌କୁ ଫେରିପାରିନାହିଁ। ପୂର୍ବରୁ ଭାରତୀୟ ଅର୍ଥ ବ୍ୟବସ୍ଥା ୬% ଅଭିବୃଦ୍ଧି ହାସଲ କରିବ ବୋଲି କୁହାଯାଇଥିଲା।
କରୋନା ମହାମାରୀ ପ୍ରଭାବକୁ କମ୍‌ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ୩ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଣ କରିବା ନେଇ ମଧ୍ୟ ଘୋଷଣା କରାଯାଇଛି। ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପକୁ ଉତ୍ସାହିତ କରିବା ଲାଗି ସରକାର ମାନୁଫାକ୍‌ଚରିଂକୁ ଗୁରୁତ୍ୱ ଦେବେ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ୍‌ ଏକ ଭର୍ଚୁଆଲ କନ୍‌ଫରେନ୍ସରେ ସୂଚନା ଦେଇଛନ୍ତି। କେଉଁ କ୍ଷେତ୍ରଗୁଡ଼ିକ ଏହା ଦ୍ୱାରା ଲାଭବାନ୍‌ ହେବେ ସେ ନେଇ ସରକାର କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ବୃହତ୍‌ ଆକାରରେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ୫ ବର୍ଷ ପାଇଁ ପ୍ରୋତ୍ସାହନ ରାଶି ଯୋଗାଣ ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ମୋବାଇଲ ଫୋନ ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ ଲାଭବାନ୍‌ ହୋଇପାରିଛନ୍ତି। ଫାର୍ମା କମ୍ପାନୀଗୁଡ଼ିକୁ ଏହି ଯୋଜନାରେ ମଧ୍ୟ ସାମିଲ କରାଯାଇଛି। ଅଟୋ ସେକ୍ଟରକୁ ଏହି ଯୋଜନା ପରିସରକୁ ଆଣିଲେ ଭାରତରୁ ଯାନ ଏବଂ ଯନ୍ତ୍ରାଂଶ ରପ୍ତାନି ୨ ଗୁଣା ବୃଦ୍ଧି ଘଟିବ ବୋଲି ରଏଟର୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ବୟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରୋତ୍ସାହନ ଯୋଜନା ପରିସରଭୁକ୍ତ ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଅନ୍ୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share