ନୂଆଦିଲ୍ଲୀ,୮ା୧: ଭାରତୀୟ ଅର୍ଥନୀତିରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ଟଙ୍କା ଡଲାର ତୁଳନାରେ ସର୍ବକାଳୀନ ଉଚ୍ଚ ସ୍ତରରେ ରହିଛି। ଏଥିରେ ସୁଧାର ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ କେନ୍ଦ୍ରରେ ମୋଦି ସରକାର ବ୍ୟାକଫୁଟରେ ରହିଛନ୍ତି। କାରଣ ୨୬ ମେ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରରେ ଏନଡିଏ ସରକାରକୁ ଏକ ଦଶନ୍ଧିରୁ ଅଧିକ ସମୟ ଅତିକ୍ରମ କରିସାରିଛି।
ଏପରି ସମୟରେ ବିଶେଷ କରି ୟୁପିଏ (UPA) ସରକାର ଏବଂ ଏନଡିଏ (NDA) ସରକାରଙ୍କ ସମୟରେ ଡଲାର ତୁଳନାରେ ଟଙ୍କା କେତେ ଦୁର୍ବଳ ହୋଇଛି, ସେ ସମ୍ପର୍କରେ ଏକ ପରିସଂଖ୍ୟାନ ସାମ୍ନାକୁ ଆସିଛି।
ମନମୋହନ ସିଂହଙ୍କ କାର୍ଯ୍ୟକାଳ (୨୨ ମେ, ୨୦୦୪ – ୨୬ ମେ, ୨୦୧୪):
ଡକ୍ଟର ମନମୋହନ ସିଂହ ଯେତେବେଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ୧ ଆମେରିକୀୟ ଡଲାରର ମୂଲ୍ୟ ପ୍ରାୟ ୪୫.୩୧ ଟଙ୍କା ଥିଲା। ୨୦୧୪ରେ ସେ କ୍ଷମତା ଛାଡ଼ିବା ବେଳକୁ ଏହା ୫୮.୫୮ ଟଙ୍କାରେ ପହଞ୍ଚିଥିଲା। ତାଙ୍କର ୧୦ ବର୍ଷର ଶାସନ କାଳରେ ଟଙ୍କାର ମୂଲ୍ୟ ପ୍ରାୟ ୩୩% ହ୍ରାସ ପାଇଥିଲା।
ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ (୨୬ ମେ, ୨୦୧୪ – ବର୍ତ୍ତମାନ):
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦାୟିତ୍ୱ ନେବା ସମୟରେ ଡଲାର ପିଛା ଟଙ୍କାର ମୂଲ୍ୟ ପ୍ରାୟ ୫୮.୫୮ ଟଙ୍କା ଥିଲା। ତେବେ ଗତ ୧୧ ବର୍ଷ ମଧ୍ୟରେ ଟଙ୍କାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ୨୦୨୫-୨୬ ସୁଦ୍ଧା ୧ ଡଲାରର ମୂଲ୍ୟ ବୃଦ୍ଧି ପାଇ ପ୍ରାୟ ୮୯-୯୦ ଟଙ୍କାରେ ପହଞ୍ଚିଛି। ପରିସଂଖ୍ୟାନ ଅନୁଯାୟୀ, ମୋଦି ସରକାରଙ୍କ ସମୟରେ ଟଙ୍କାର ମୂଲ୍ୟ ପ୍ରାୟ ୫୦% ରୁ ଅଧିକ ହ୍ରାସ ପାଇଛି।
କାହା ସମୟରେ ଅଧିକ ହ୍ରାସ ପାଇଛି?
ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଅଧିକ ଦୁର୍ବଳ ହୋଇଛି। ନରେନ୍ଦ୍ର ମୋଦି ୨୦୧୪ରେ ଦାୟିତ୍ୱ ଗ୍ରହଣ ସମୟରେ ୧ ଡଲାର ତୁଳନାରେ ₹୫୮.୫୮ ଟଙ୍କା ଥିଲା, ଯାହା ଜାନୁୟାରୀ ୨୦୨୬ ସୁଦ୍ଧା ୫୩% ବୃଦ୍ଧି ପାଇ ₹୮୯.୯୨ ଟଙ୍କାରେ ପହଞ୍ଚିଛି।
ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୪ରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ୧ ଡଲାର ତୁଳନାରେ ₹୪୫.୩୧ ଟଙ୍କା ଥିଲା, ଯାହା ୨୦୧୪ ସୁଦ୍ଧା ୩୩% ବୃଦ୍ଧି ପାଇ ₹୫୮.୫୮ ଟଙ୍କାରେ ପହଞ୍ଚିଛି।
ତେବେ ଟଙ୍କା ଦୁର୍ବଳ ହେବାର ବିଭିନ୍ନ କାରଣ ରହିଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱସ୍ତରୀୟ ଭୂ-ରାଜନୈତିକ ପରିସ୍ଥିତି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭର ନୀତି ପରି ବାହ୍ୟ କାରଣ ଗୁଡ଼ିକ ଏହି ମୂଲ୍ୟ ହ୍ରାସ ପାଇଁ ଦାୟୀ।
ଗତ ଏକ ଦଶନ୍ଧି ମଧ୍ୟରେ ଟଙ୍କା ଅଧିକ ହ୍ରାସ ପାଇବାର ଅନ୍ୟ ଏକ କାରଣ ହେଉଛି ୨୦୨୦ ରେ ଆସିଥିବା କରୋନା ଲହର। ଏହାଦ୍ୱାରା ବିଶ୍ୱରେ କାରବାର ଏକ ପ୍ରକାର ଠପ୍ ହୋଇଯାଇଥିଲା। ଦେଶ ଦେଶ ମଧ୍ୟରେ ଯୋଗାଣ ଶୃଙ୍ଖଳା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା।


