ଅମରପାଲି,୨୯ା୫(ପୀତାମ୍ବର ସାହୁ):ବର୍ତ୍ତମାନ ଯୁବପିଢ଼ି ସରକାରୀ ଚାକିରି ପାଇଁ ଦୌଡ଼ ଲଗାଉଥିବା ବେଳେ କେତେଜଣ ଯୁବକ କୃଷିକୁ ନିଜର ଜୀବିକା ଓ ପରିଚୟର ମାଧ୍ୟମ କରି ସଫଳତାର ନୂଆ କାହାଣୀ ଲେଖୁଛନ୍ତି। ସେହିପରି ଜଣେ ସଫଳ ଚାଷୀ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଦୁହୁଲପାଲି ଗ୍ରାମର କର୍ମୁ ଧଳ (୪୭)। ଚାକିରି ଲୋଭକୁ ଛାଡ଼ି ଆମ୍ବ ଚାଷକୁ ନିଜର ଜୀବନର ପଥ ଭାବେ ବାଛି ନେଇଥିବା କର୍ମୁ ଆଜି ଆର୍ଥିକ ସ୍ବାବଲମ୍ବୀ ହେବା ସହ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି।
କର୍ମୁ ଧଳ +୩ କଳାରେ ଶିକ୍ଷା ଲାଭ କରିବା ପରେ ସରକାରୀ ଚାକିରି ପଛରେ ନ ଗୋଡାଇ କୃଷି ପ୍ରତି ଆକର୍ଷିତ ହୋଇଥିଲେ। ପ୍ରାୟ ୨୦ ବର୍ଷ ପୂର୍ବେ ସରକାରୀ ସହାୟତା ପାଇ ସେ ଆମ୍ବ ଚାଷ ଆରମ୍ଭ କରିଥିଲେ। ଆରମ୍ଭରେ ଛୋଟ ପରିସରରେ ଚାଷ କରୁଥିବା ବେଳେ ଧୀରେ ଧୀରେ ସେ ନିଜ ବଗିଚାକୁ ବିସ୍ତାର କରିଥିଲେ। ବର୍ତ୍ତମାନ ସେ ପ୍ରାୟ ସାଢ଼େ ୫ ଏକର ଜମିରେ ୧୭୦ଟି ଆମ୍ବ ଗଛ ଲଗାଇଛନ୍ତି। ତାଙ୍କ ବଗିଚାରେ ଦଶରୀ, ଆମ୍ରପଲ୍ଲି, ମଲ୍ଲିକା, ଲେଙ୍ଗେଡ଼ା ଭଳି ଉନ୍ନତମାନର ବିଭିନ୍ନ ପ୍ରଜାତିର ଆମ୍ବ ଚାଷ ହେଉଛି। ଗଛର ନିୟମିତ ରକ୍ଷଣାବେକ୍ଷଣ, ଜୈବ ଓ ରାସାୟନିକ ସାର ପ୍ରୟୋଗ, ସମୟୋପଯୋଗୀ ଔଷଧ ସିଞ୍ଚନ ଏବଂ ବଉଳ ଆସିବା ସମୟରୁ ବିଶେଷ ଯତ୍ନ ନେବା ଫଳରେ ପ୍ରତିବର୍ଷ ଭଲ ଫଳ ମିଳୁଥିବା କର୍ମୁ କହିଛନ୍ତି। ଏବେ ତାଙ୍କ ବଗିଚାରେ ଫଳିଥିବା ଆମ୍ବ ବିହାର, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟକୁ ବିକ୍ରି ପାଇଁ ପଠାଯାଉଛି। ସ୍ଥାନୀୟ ବଜାରରେ ଆମ୍ବ କିଲୋ ପ୍ରତି ସର୍ବାଧିକ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାବେଳେ ଦଲାଲମାନେ ଅଧିକ ଲାଭ ନେଉଥିବାରୁ ଚାଷୀମାନେ ଯଥେଷ୍ଟ ମୂଲ୍ୟ ପାଇ ପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ଭାବେ ଆମ୍ବ କ୍ରୟ ବିକ୍ରୟର ବ୍ୟବସ୍ଥା କିମ୍ବା ଅଞ୍ଚଳରେ ଏକ ଶୀତଳଭଣ୍ଡାର ସ୍ଥାପନ କରାଗଲେ ଆମ୍ବ ଚାଷୀମାନେ ବହୁତ ଉପକୃତ ହେବେ। ଆମ୍ବ ଚାଷ ମାଧ୍ୟମରେ କର୍ମୁ ବର୍ଷକୁ ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ତାଙ୍କ ବଗିଚାରେ ଅନ୍ୟ ୪ରୁ ୫ ଜଣ ଲୋକ ନିୟମିତ କାମ ମଧ୍ୟ ପାଉଛନ୍ତି। ଏହି ଚାଷରେ କର୍ମୁଙ୍କୁ ତାଙ୍କ ବଡ଼ ଭାଇ ଧର୍ମୁ ସହଯୋଗ କରିବା ସହିତ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ସେ ଓ ତାଙ୍କ ବଡ଼ ଭାଇଙ୍କ ପରିବାର ଏକାଠି ରହୁଥିବାବେଳେ ଏହି ଚାଷରୁ ଅର୍ଥ ରୋଜଗାର କରି ଉଭୟଙ୍କ ପିଲାଙ୍କ ପାଠପଢ଼ା ସହିତ ଭଲରେ ପରିବାର ଚଳାଇଥାନ୍ତି। ତାଙ୍କ ସଫଳତା ଦେଖି ଅଞ୍ଚଳର ଅନେକ ଯୁବକ ମଧ୍ୟ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ଆକର୍ଷିତ ହେଉଥିବା ଦେଖାଯାଉଛି। କୃଷି ପ୍ରତି ଆଗ୍ରହ, ଧୈର୍ଯ୍ୟ ଓ ନିଷ୍ଠା ଥିଲେ ଚାଷ ମାଧ୍ୟମରେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବ ବୋଲି କର୍ମୁ ଧଳ ପ୍ରମାଣ କରିଦେଇଛନ୍ତି। ତାଙ୍କର ଏହି ସଫଳତା କାହାଣୀ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।