ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି। ବ୍ଲକର ପ୍ରାୟ ୬୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଏଠାରେ ଧାନଚାଷ ପରେ ନଦୀ ନିକଟବର୍ତ୍ତୀ ଅଞ୍ଚଳବାସୀ ବାଦାମ, ମୁଗ ଓ ପନିପରିବା ଚାଷ କରିଥାନ୍ତି। ପ୍ରାୟ ୨୫ ପ୍ରତିଶତ ଜମିରେ ଏହି ଚାଷ ହେଉଥିବା ବେଳେ ଜଳସେଚନର ସୁବିଧା ନ ଥିବାରୁ ଅବଶିଷ୍ଟ ଜମି ପଡ଼ିଆ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାମେଶ୍ୱରସ୍ଥିତ ମନ୍ଦାକିନୀ ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଲାଗିପାରୁନାହିଁ।

ସୂଚନାଥାଉ କି, ଚାଷୀଙ୍କ ସୁବିଧା ଲାଗି ରାମେଶ୍ୱରଠାରେ ମନ୍ଦାକିନୀ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଯାଇଥିଲା। ଫଳରେ ରାମେଶ୍ୱର, ନିରାକାରପୁର, ଡିଆ, ଲେଣ୍ଡୋ, ନୂଆଗଡ ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ। ଏନେଇ କେନାଲ କରାଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ ଚାଷୀଙ୍କ କାମରେ ଆସିପାରୁନାହିଁ। ଫଳରେ କେନାଲ ନିକଟ ଜମିଗୁଡିକ ପଡିଆ ରହୁଛି। ଜଳସେଚନର ସୁବିଧା ନ ଥିବାରୁ ଧାନ ଚାଷ ପରେ ଚାଷୀ ହାତ ବାନ୍ଧି ବସୁଛନ୍ତି। ଏନେଇ ଚାଷୀ ନାରାୟଣ ମହାନ୍ତି କହିଛନ୍ତି, ଜଳସେଚନର ସୁବିଧା କରାଗଲେ ଧାନ ପରେ ପନିପରିବା ଚାଷ ହୋଇପାରନ୍ତା। କେନାଲ ପାର୍ଶ୍ୱରେ ଜମି ରହିଥିଲେ ମଧ୍ୟ ପାଣି ଅଭାବରୁ ତାହା ପଡିଆ ପଡ଼ୁଛି। ସେହିପରି ଚାଷୀ ଦେବେନ୍ଦ୍ର ପରିଜା କୁହନ୍ତି, ବ୍ଲକ୍‌ରେ ଜଳସେଚନ କହିଲେ ବର୍ଷା ଉପରେ ନିର୍ଭର କରିବାକୁ ପଡିଥାଏ। ଜଳସେଚନର ସୁବିଧା ନ ଥିବାରୁ କେବଳ ଖରିଫ ଋତୁରେ ଧାନ ବ୍ୟତୀତ ଅନ୍ୟ ଫସଲ ହୋଇପାରୁନାହିଁ। ଫଳରେ ଅଧିକାଂଶ ଜମି ପଡିଆ ପଡୁଛି ା ଚାଷୀ ଅଜୟ ଛୋଟରାୟ କୁହନ୍ତି, ବ୍ୟାରେଜ ମରାମତି ସହ ପାଣି ଭର୍ତ୍ତି ରହିଲେ ଜମିରେ ଜଳସେଚନ ହୋଇପାରନ୍ତା। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।