Categories: ଖେଳ

ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ

ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ ୫ମ ତଥା ଅନ୍ତିମ ଦିବସକୁ ଅପେକ୍ଷା କରିବାକୁ ପଡ଼ିଛି। ଏହି ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୩୬୯ ରନ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୧୯୭ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସକୁ ୨୨୬/୨ରେ ଘୋଷଣା କରିବାରୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୯୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତୃତୀୟ ଦିବସ ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦ ରନରେ ୨ଟି ଉଇକେଟ ହରାଇଛି। ଓପନର ଜନ୍‌ କ୍ୟାମ୍ପପେଲ ଖାତା ଖୋଲିପାରି ନ ଥିବାବେଳେ କେମର ରୋଚ୍‌ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ୮ ଉଇକେଟ ବାକିଥାଇ ଓ୍ବେଷ୍ଟଇଣ୍ଡିଜ ଲକ୍ଷ୍ୟଠାରୁ ୩୮୯ ରନ ଦୂରରେ ରହିଛି। ଷ୍ଟୁଆର୍ଟ ବ୍ରଡ୍‌ ଓ୍ବେଷ୍ଟଇଣ୍ଡିଜର ୨ଟି ଯାକ ଦ୍ୱିତୀୟ ଇନିଂସ ୮ ଉଇକେଟ ନେଇ ନିଜ ଉଇକେଟ ସଂଖ୍ୟାକୁ ୪୯୯ରେ ପହଞ୍ଚାଇଛନ୍ତି। ଆଉ ଗୋଟିଏ ଉଇକେଟ ନେଲେ ସେ ୫୦୦ ଉଇକେଟ କ୍ଲବରେ ସାମିଲ ହେବେ। ପୂର୍ବରୁ ମୁଥୟା ମୁରଲୀଧରନ(୮୦୦), ଶେନ ଓ୍ବର୍ନ(୭୦୮), ଅନୀଲ କୁମ୍ବଲେ (୬୧୯), ଜେମ୍ସ ଆଣ୍ଡରସନ(୫୮୯), ଗ୍ଲେନ ମ୍ୟାଗଗ୍ରା(୫୬୩) ଓ କର୍ଟନି ଓ୍ବାଲ୍ସ(୫୧୯) ଏହି କ୍ଲବର ସଦସ୍ୟ ଅଛନ୍ତି।

Share