ପଥରରେ ଛେଚି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ବାଲିଗୁଡ଼ା,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ। ମଦ ପିଇ ମାତାଲ ହେବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରତିଶୋଧ ପରାୟଣ ହୋଇ ଜଣେ ଅନ୍ୟ ଜଣକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ହତ୍ୟାକାରୀ ସାରଙ୍ଗଡ଼ ଥାନା ପୁରୁଣା ସାହିର ମନୋଜ ଓରଫ ଉଲୁକୁ ଥାନାରେ ଅଟକ ରଖିଛି ପୋଲିସ। ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ସାରଙ୍ଗଡ଼ ଥାନା ପୁରୁଣାସାହିର ଜିତେନ୍ଦ୍ର ପୂଜାରୀ ହୋଇଥିବା ଜଣାପଡ଼ିଛି। ତଦନ୍ତ ପରେ ହତ୍ୟାକାଣ୍ଡର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।