ପାରଳାଖେମୁଣ୍ଡି,୧୫ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ପୁଅଝିଅଙ୍କୁ ବିଷ ଦେଇ ମାରିଥିବା ବାପା ଶୁଭାଶିଷ ପାଣିଗ୍ରାହୀ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଛନ୍ତି। ଗତ ମାର୍ଚ୍ଚ ୨୧ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀଙ୍କ ସନ୍ଦେଜନକ ମୃତ୍ୟୁ ଘଟିଥିଲା। ଏହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଶୁଭାଷିଶ ବୁଧବାର ପିଲାଙ୍କୁ ବିଷ ପିଆଇ ନିଜେ ବିଷ ପିଇ ଦେଇଥିଲେ। ଏବେ ପୂରା ପରିବାର ଲୋକଙ୍କ ମୃତ୍ୟୁ ଘଟିଛି। କାହିଁକି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହା ଜଣାପଡି ନାହିଁ। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଶୁଭାଶିଷଙ୍କ ଘରେ ତଦନ୍ତ ଆରମ୍ଭ କରିଛନ୍ତି।
ଶୁଭାଶିଷ ବୁଧବାର ମଧ୍ୟାହ୍ନରେ ୮ ବର୍ଷର ପୁଅ ବିଜୟାନନ୍ଦ ଓ ୧୨ ବର୍ଷର ଝିଅ ପ୍ରିୟଦର୍ଶନୀଙ୍କୁ କୌଣସି ଖାଦ୍ୟରେ ବିଷ ଦେଇ ନିଜେ ତାହାକୁ ଖାଇ ଦେଇଥିଲେ। ପରେ ସେ ପାରଳାଖେମୁଣ୍ଡି ନୂଆ ବସ୍ଷ୍ଟାଣ୍ଡରେ ତାଙ୍କ ବାପା ବୁଚିବାବୁ ପାଣିଗ୍ରାହୀଙ୍କୁ ଫୋନ କରି ଆମେ ବିଷ ଖାଇଦେଇଛୁ ମରିଯିବୁ, ଶେଷଥର ପାଇଁ ଦେଖିଦିଅ ବୋଲି କହିଥିଲେ।
ବୁଚିବାକୁ ତୁରନ୍ତ ପହଞ୍ଚି ସାହିପଡିଶା ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପୁଅ ବିଜୟାନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ଶୁଭାଷିଶ ଓ ଝିଅ ପ୍ରିୟଦର୍ଶନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାତି ପ୍ରାୟ ୯ଟାରେ ପ୍ରିୟଦର୍ଶନୀ ଓ ଗୁରୁବାର ସକାଳେ ଶୁଭାଷିଶଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ପାରଳାଖେମୁଣ୍ଡିରେ ପୁଅ ଓ ବ୍ରହ୍ମପୁରରେ ବାପଝିଅଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଏ ନେଇ ପାରଳାଖେମୁଣ୍ଡି ଥାନାରେ ନଂ. ୧୧/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘରେ ପହଞ୍ଚି ବୁଧବାର ଶୁଭାଶିଷ ରୋଷେଇ କରିଥିବା ବିଭିନ୍ନ ଖାଦ୍ୟ, ପିଇଥିବା ବିଷ ସଂଗ୍ରହ କରିବା ସହ ଖାନତଲାସୀ କରିଛି।
ପୋଲିସ ଘଟଣା ସମ୍ପର୍କରେ ସାହି ପଡୋଶୀ ଓ ପରିବାରବର୍ଗଙ୍କୁ ପଚରାଉଚୁରା କରିଛି। ପୁଅର ଆର୍ଥିକ ସମସ୍ୟା ନ ଥିଲା କି ସେ କୌଣସି ଚାପରେ ନ ଥିଲେ ବୋଲି ଶୁଭାଷିଶଙ୍କ ବାପା ବୁଚିବାବୁ ସ୍ପଷ୍ଟ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ପିଲାଙ୍କୁ ମାରି ସେ ନିଜେ ଜୀବନ ହାରିଲେ ଓ ପୂର୍ବରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପଛରେ କାହାର ହାତ ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।


