ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆକ୍ରମଣାତ୍ମକ ୪୨ ବଲରୁ ୮୯ ରନ ପାଇଁ ସଞ୍ଜୁ ସାମସନଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଛି। କିନ୍ତୁ ବିଜୟ ପାଇଁ ଜସପ୍ରୀତ ବୁମରା ସର୍ବାଧିକ ଶ୍ରେୟ ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି।
ଏହି ହାଇ-ସ୍କୋରିଂ ମ୍ୟାଚ ରେ ବୁମରା ଚାରି ଓଭରରେ ୩୩ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ୧୮ତମ ଓଭରରେ ମାତ୍ର ଛଅ ରନ ଦେଇ ସେ ଇଂଲିସ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ। ୭ ଉଇକେଟରେ ୨୫୩ ରନ କରିବା ପରେ, ଭାରତ ଇଂଲଣ୍ଡକୁ ୭ ଉଇକେଟରେ ୨୪୬ ରନରେ ସୀମିତ ରଖିଥିଲା।
ତାଙ୍କ ଇନିଂସରେ ୮ଟି ଚୌକା ଏବଂ ୭ଟି ଛକା ମାରିଥିବା ସାମସନ କହିଛନ୍ତି, ଆଜି ଦଳର ପ୍ରଦର୍ଶନରେ ଆମେ ବହୁତ ଖୁସି, ଏବଂ ସମସ୍ତ ଶ୍ରେୟ ଜସପ୍ରୀତ ବୁମରାଙ୍କୁ ଯାଏ। ମୁଁ ଭାବୁଛି ସେ ଜଣେ ବିଶ୍ୱସ୍ତରୀୟ ବୋଲର, ଗୋଟିଏ ପିଢ଼ିରେ ଥରେ ଆସୁଥିବା ବୋଲର, ଏବଂ ସେ ଆଜି ତାହା ଦେଖାଇଛନ୍ତି। ପ୍ରକୃତରେ ଏହି ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ତାଙ୍କୁ ଦିଆଯିବା ଉଚିତ।
ସାମସନ କହିଛନ୍ତି, ଯଦି ଆମେ ଶେଷ ଓଭରଗୁଡ଼ିକରେ ଏପରି ବୋଲିଂ କରି ନ ଥାନ୍ତୁ, ତେବେ ମୁଁ ହୁଏତ ଏଠାରେ ଠିଆ ହୋଇ ନ ଥାନ୍ତି। ତେଣୁ ସମସ୍ତ ଶ୍ରେୟ ବୋଲରମାନଙ୍କୁ ଯାଏ, ଯେଉଁମାନେ ନିଜ ଉପରେ ବିଶ୍ୱାସ ରଖିଥିଲେ ଏବଂ କଷ୍ଟକର ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ତାଙ୍କ ଇନିଂସ ବିଷୟରେ ପଚରାଯିବାରୁ ସାମସନ କହିଛନ୍ତି, ମୁଁ ବହୁତ ଭଲ ଅନୁଭବ କରୁଛି। ଗତ ମ୍ୟାଚ ଠାରୁ ମୋର ଲୟ ଫେରି ଆସୁଛି। ମୁଁ ନିଜକୁ ଟିକେ ଅତିରିକ୍ତ ସମୟ ଦେଇଥିଲି ଏବଂ ଏହା ଫଳପ୍ରଦ ହୋଇଥିଲା। ଆମେ ୱାଙ୍ଖଡେରେ ବହୁତ କ୍ରିକେଟ ଖେଳିଛୁ, ଏବଂ ଏଠାରେ ଟାର୍ଗେଟ ପିଛା କରିବା ଟିକେ ସହଜ।
Dharitri – Odisha’s No.1 Odia Daily

