Categories: ଅପରାଧ

ସ୍ତ୍ରୀ ଉପରେ ଖରାପ ନଜର ପକାଇବାରୁ ବଡ଼ ଭାଇକୁ ହତ୍ୟା

ଗ୍ରେଟର ନୋଏଡା, ୨୭।୭: ଗ୍ରେଟର ନୋଏଡାର ବିସରଖ ଗ୍ରାମରେ ଜଣେ ଯୁବକଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ସାନ ଭାଇକୁ ଗିରଫ କରିଛି। ମୃତକ ଯୁବକଜଣଙ୍କ ପରିବାରର ମହିଳାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କ ସାନ ଭାଇଙ୍କ ସ୍ତ୍ରୀ ଉପରେ ମଧ୍ୟ ଖରାପ ନଜର ପକାଇଥିଲା। ଏଥିରେ ସାନ ଭାଇ ରାଗିଯାଇ ବଡ଼ ଭାଇକୁ ଶେଷରେ ହତ୍ୟା କରିଥିବା ଜଣାପଡ଼ିଛି। ବିସରଖ ଗ୍ରାମରେ ଭିଷ୍ମ ଓ ତାଙ୍କ ସାନ ଭାଇ ଦୟାନନ୍ଦ ୨୦୦୯ରୁ ଘର ଭଡ଼ା ନେଇ ରହୁଥିଲେ। ଭିଷ୍ମ ଅବିବାହିତ ଥିବାବେଳେ ଦୟାନନ୍ଦ ତାଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହୁଥିଲେ। ତେବେ ନିକଟରେ ଦୟାନନ୍ଦ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ଭାଇକୁ କେହି ହତ୍ୟା କରି ବିଲରେ ପକାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଭିଷ୍ମଙ୍କ ଶବକୁ ଉଦ୍ଧାର କରିଥିଲା। ଏହାପରେ ତଦନ୍ତ ସମୟରେ ପୋଲିସର ଦୟାନନ୍ଦ ଉପରେ ସନ୍ଦେହ ପ୍ରକାଶ କରିଥିଲା। ଦୟାନନ୍ଦଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଶେଷରେ ସେ ସତ ମାନିଯାଇଥିଲା। ଦୟାନନ୍ଦ ପୋଲିସ ଆଗରେ କହିଥିଲା, ଭୀଷ୍ମ ଅଧିକାଂଶ ସମୟ ମଦ ପିଇ ଘରେ ମହିଳାଙ୍କ ପ୍ରତି ଖରାପ ବ୍ୟବହାର କରିଥାଏ। ତେଣୁ ତାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ସନ୍ଧ୍ୟାରେ ଗ୍ରାମ ଶେଷ ଭାଗରେ ଥିବା ବିଲରେ ଭିଷ୍ମକୁ ପ୍ରଥମେ ମଦ ପିଆଇ ପରେ ତଣ୍ଟି ଚିପି ଓ ପରେ ଛୁରୀ ଭୁସି ହତ୍ୟା କରିଥିବା ଦୟାନନ୍ଦ ସ୍ବୀକାର କରିଛି।