Posted inଜାତୀୟ

ମୋଦିଙ୍କୁ ହରାଇଲେ ମମତା

ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ/ଥିରୁଭାନନ୍ତପୁରମ/ଗୁଆହାଟୀ,୩।୫: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ଖେଳରେ ବାଜି ମାରିଛନ୍ତି ଦିଦି। ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଭୋଟ ଗ୍ରହଣ କରାଯାଇଥିବା ୨୯୨ ଆସନରୁ ୨୧୩ରେ ବିଜୟୀ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)। ଏଥିସହ ମମତା ଦିଦି ଲଗାତର ତୃତୀୟ ଥର କ୍ଷମତା ଦଖଲ କରି ହ୍ୟାଟ୍ରିକ୍‌ ସଫଳତା ପାଇଛନ୍ତି। ପଶ୍ଚିମବଙ୍ଗରେ କଳ ବଳ କୌଶଳ ପ୍ରୟୋଗ କରି କ୍ଷମତା ହାତେଇବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିବା ଭାରତୀୟ ଜନତା ପାର୍ଟି (ଭାଜପା) ଦୁଇ ଅଙ୍କରେ ସୀମିତ ରହିଛି। ଗୈରିକ ଦଳକୁ ମମତାଙ୍କ ଗଡ଼ରେ କିଛି ସଫଳତା ମିଳିଥିଲେ ହେଁ ଏହାର ସରକାର ଗଢ଼ିବା ସ୍ବପ୍ନ ମଉଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ କେନ୍ଦ୍ର କ୍ୟାବିନେଟର ଅନେକ ମନ୍ତ୍ରୀଙ୍କ ତମାମ ଉଦ୍ୟମ ସତ୍ତ୍ୱେ ଦିଦିଙ୍କ ଦୁର୍ଗ ଭେଦ କରିବାରେ ସଫଳ ହୋଇନାହିଁ ଗୈରିକ ଦଳ। ସେହିପରି ତାମିଲନାଡୁରେ ଭାଜପା ସହଯୋଗୀ ଶାସକ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଏଆଇଏଡିଏମ୍‌କେ)କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର। ଏଠାରେ ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନଙ୍କ ସପକ୍ଷରେ ଯାଇଛି ଜନାଦେଶ। ଏହି ଦକ୍ଷିଣ ଭାରତୀୟ ରାଜ୍ୟର ମତଦାତା ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ନେତୃତ୍ୱକୁ ଧିକ୍କାର କରି ଶାସକ ମେଣ୍ଟକୁ ମାତ୍ର ୭୮ ଆସନରେ ସୀମିତ ରହିବାକୁ ବାଧ୍ୟ କରିଛନ୍ତି। ଫଳରେ ଦ୍ରାବିଡ ରାଜନୀତିର ଷ୍ଟଲଓ୍ବାର୍ଟ ସ୍ବର୍ଗତ ଏମ୍‌. କରୁଣାନିଧିଙ୍କ ପୁଅ ଷ୍ଟାଲିନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବା ପଥ ପରିଷ୍କାର ହୋଇଛି। କେରଳରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ବିପୁଳ ବିଜୟ ହାସଲ କରି ଇତିହାସ ରଚିଛି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି। କେରଳବାସୀ ତାଙ୍କ ମଥାରେ ପୁନର୍ବାର ବିଜୟ ତିଲକ ଲଗାଇଛନ୍ତି। ବିରୋଧୀ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଛି। ଓ୍ବାୟନାଡ୍‌ ଏମ୍‌ପି ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୋଟି ଚାଳନା କାମ କରିପାରି ନାହିଁ। ଏଠାରେ ପୂର୍ବରୁ ମାତ୍ର ଗୋଟିଏ ଆସନରେ ସୀମିତ ଥିବା ଭାଜପା ଏହି ନିର୍ବାଚନରେ ମେଟ୍ରୋମ୍ୟାନ୍‌ ଇ. ଶ୍ରୀଧରନ୍‌ଙ୍କୁ ମଇଦାନକୁ ଓହ୍ଲାଇ ଶେଷ ମୁହୂର୍ତ୍ତରେ ଯେଉଁ ଚମତ୍କାରର ସ୍ବପ୍ନ ଦେଖିଥିଲା ତାହା ଧୂଳିସାତ୍‌ ହୋଇଯାଇଛି। ୮୮ ବର୍ଷୀୟ ଶ୍ରୀଧରନ୍‌ ପଲକ୍କଡ ଆସନରୁ ୟୁଡିଏଫ୍‌ ପ୍ରାର୍ଥୀ ଶାଫି ପରମ୍‌ବିଲଙ୍କଠାରୁ ୩,୪୮୦ ଖଣ୍ଡ ଭୋଟ ବ୍ୟବଧାନରେ ହାରିଯାଇଛନ୍ତି। ଫଳରେ କେରଳରେ ପୂର୍ବରୁ ମାତ୍ର ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଥିବା ଭାଜପା ଏଥର ଖାତା ମଧ୍ୟ ଖୋଲିପାରି ନାହିଁ। ଅନ୍ୟପକ୍ଷେ ଭାଜପାର ଇଜ୍ଜତ ବଞ୍ଚାଇଦେଇଛି ଦକ୍ଷିଣ-ପୂର୍ବ ରାଜ୍ୟ ଆସାମ। ଏଠାରେ ଭାଜପା ନେତୃତ୍ୱାଧୀନ ଶାସକ ମେଣ୍ଟ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି ଭୋଟର। କଂଗ୍ରେସ ନେତୃତ୍ୱରେ ଗଠିତ ବିରୋଧୀ ମହାମେଣ୍ଟ ଗୈରିକ ଦଳକୁ ଟକ୍କର ଦେଇଥିଲେ ହେଁ କ୍ଷମତା ହାସଲ ପାଇଁ ଆବଶ୍ୟକ ସଂଖ୍ୟାବଳ ଯୋଗାଡ଼ କରିପାରି ନାହିଁ। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ଏନ୍‌. ରଙ୍ଗାସ୍ବାମୀଙ୍କ ନେତୃତ୍ୱାଧୀନ ଏଆଇଏନ୍‌ଆର୍‌ସି ସପକ୍ଷରେ ଜନମତ ଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଆସନ ଆଡ଼କୁ ଅଗ୍ରସର ହୋଇଛନ୍ତି। ମୋଟାମୋଟି ଭାବେ ମହାମାରୀ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଫଳତା ଓ କ୍ଷମତାର ଅହଙ୍କାରକୁ ଭାଜପାର ପରାଜୟ ପାଇଁ ଦାୟୀ କରାଯାଉଛି। ପଶ୍ଚିମବଙ୍ଗରେ ଭାଜପା କାହାରିକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ନ ଥିବାରୁ ସିଧାସଳଖ ମୋଦି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମନେହେଉଥିଲା। ତେଣୁ ଏହି ପରିଣାମକୁ ମୋଦିଙ୍କ ପରାଜୟ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଉଛନ୍ତି।
ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଘୋଷଣା ଅନୁସାରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୪ ବିଧାନସଭା ଆସନରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ପଶ୍ଚିମବଙ୍ଗର ସମ୍‌ଶେରଗଞ୍ଜ ଓ ଜାଙ୍ଗିପୁର ଆସନର ୨ ପ୍ରାର୍ଥୀଙ୍କ କୋଭିଡ୍‌ ମୃତ୍ୟୁ ଯୋଗୁ ଉଭୟ ସିଟ୍‌ରେ ମତଦାନକୁ ମେ’ ୧୬କୁ ଘୁଞ୍ଚାଇ ଦିଆଯାଇଥିଲା। ଟିଏମ୍‌ସି ଶାସନାଧୀନ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯାଇଥିବାବେଳେ ଭାଜପା କ୍ଷମତାସୀନ ଆସାମରେ ୩ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କେରଳ, ତାମିଲନାଡୁ ଓ ପଣ୍ଡିଚେରୀରେ ଏପ୍ରିଲ ୬ରେ ମତଦାନ ହୋଇଥିଲା। କୋଭିଡ୍‌-୧୯ ପ୍ରୋଟୋକଲ ଓ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ରବିବାର ସମସ୍ତ ୮୨୨ ଆସନର ଭୋଟ ଗଣତି କରାଯାଇଥିଲା। ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା। ପଶ୍ଚିମବଙ୍ଗ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନ ରକ୍ଷାର ଆହ୍ବାନ ପାଲଟିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ମର୍ଯ୍ୟାଦାର ପ୍ରଶ୍ନ ରୂପେ ଛିଡ଼ା ହୋଇଥିଲା। ଏଠାରେ ଟିଏମ୍‌ସିର ବଡ଼ ଚ୍ୟାଲେଞ୍ଜର ଭାବେ ପ୍ରଥମ ଥର ପାଇଁ ଭାଜପା ଉଭା ହୋଇଥିବାରୁ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ସେହିପରି ରାଜ୍ୟର ନନ୍ଦିଗ୍ରାମରେ ମମତାଙ୍କ ବିରୋଧରେ ତାଙ୍କ ପୂର୍ବ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭାଜପା ପ୍ରାର୍ଥୀ କରିଥିବାରୁ ଏହି ନିର୍ବାଚନମଣ୍ଡଳୀ ସବୁଠୁ ହଟ୍‌ ସିଟ୍‌ ପାଲଟିଥିଲା। ଗଣତି ଆରମ୍ଭରେ ଶୁଭେନ୍ଦୁ ଆଗରେ ରହିଥିଲେ। ମଝିରେ ଉଭୟେ ତଳ ଉପର ହୋଇ ଚାଲିଥିଲେ। ଶେଷରେ ଶୁଭେନ୍ଦୁ ବିଜୟୀ ହେଲେ। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମମତାଙ୍କୁ ୧୯୫୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୯ ହୋଇଥିବାବେଳେ ଟିଏମ୍‌ସି ୨୧୩ ଆସନ ଦଖଲ କରିଛି, ଯାହାକି ୨୦୧୬ ନିର୍ବାଚନଠାରୁ ୨ ଅଧିକ। ଭାଜପା ଏବଂ ଏହାର ସହଯୋଗୀଙ୍କୁ ଏଠାରେ ୭୭ ଆସନ ମିଳିଛି। ଅର୍ଥାତ୍‌ ପଶ୍ଚିମବଙ୍ଗବାସୀ ଭାଜପାକୁ ବିରୋଧୀ ଆସନରେ ବସାଇଛନ୍ତି। ବାମ ନେତୃତ୍ୱାଧୀନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌)-କଂଗ୍ରେସ-ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ମେଣ୍ଟକୁ ଗୋଟିଏ ଆସନରେ ସଫଳତା ମିଳଛି। ଏହି ସଫଳତାକୁ ମମତା ପଶ୍ଚିମବଙ୍ଗବାସୀଙ୍କ ବିଜୟ ବୋଲି ଅଭିହିତ କରିବା ସହ ତାଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଥିବାରୁ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟକୁ କୋଭିଡ୍‌ କବଳରୁ ମୁକ୍ତ କରିବା ତାଙ୍କ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ମମତା କହିଛନ୍ତି।
୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୧୮ ହୋଇଥିବାବେଳେ ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ଏଆଇଏଡିଏମ୍‌କେ ୧୩୬ ଆସନ ଦଖଲ କରିଥିଲା ଏବଂ ଇ.କେ. ପାଲାନିସ୍ବାମୀ ଘଟଣାଚକ୍ରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କରୁଣାନିଧିଙ୍କ ଡିଏମ୍‌କେକୁ ୯୮ ଆସନରେ ସନ୍ତୁଷ୍ଟ ହୋଇ ବିରୋଧୀ ଦଳରେ ବସିବାକୁ ପଡ଼ିଥିଲା। କିନ୍ତୁ ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଗଣିତ ସମ୍ପୂର୍ଣ୍ଣ ରୂପେ ବଦଳିଗଲା। ଏଥର ଡିଏମ୍‌କେ ମେଣ୍ଟ ୧୫୫ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଆଇଏଡିଏମ୍‌କେ ମେଣ୍ଟକୁ ୭୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି, ଯାହାକି ପୂର୍ବାପେକ୍ଷା ୫୮ କମ୍‌। ଏମ୍‌ଏନ୍‌ଏମ୍‌ ଅଧ୍ୟକ୍ଷ କମଲ ହାସନ କୋଏମ୍ବାଟୁର ସାଉଥ୍‌ ଆସନରେ ଭାଜପା ପ୍ରାର୍ଥୀ ଭି. ଶ୍ରୀନିବାସନଙ୍କଠାରୁ ହାରିଯାଇଛନ୍ତି।
୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ଲାଗି ୭୧ ଆସନ ଆବଶ୍ୟକ ଥିବାବେଳେ ୨୦୧୬ରେ ଏଲ୍‌ଡିଏଫ୍‌ ୯୧ ଆସନ ଦଖଲ କରି କ୍ଷମତାସୀନ ହୋଇଥିଲା। ୟୁଡିଏଫ୍‌ ମାତ୍ର ୪୭ ଆସନରେ ସନ୍ତୁଷ୍ଟ ହୋଇଥିଲା। ଏଥର ଏଲ୍‌ଡିଏଫ୍‌ ଆଉ ପାଦେ ଆଗେଇ ୯୯ ଆସନ ପାଇଥିବାବେଳେ ୟୁଡିଏଫ୍‌ ୪୧ରେ ସୀମିତ ରହିଛି। ଭାଜପାକୁ ଗୋଟିଏ ହେଲେ ଆସନରେ ଜିତାଇ ନାହାନ୍ତି ମତଦାତା।
ଆସାମ ବିଧାନସଭାର ଆସନ ସଂଖ୍ୟା ହେଉଛି ୧୨୬। ଏଠାରେ ୬୪ ଆସନ ଦଖଲ କଲେ ସରକାର ଗଠନ ସମ୍ଭବ ଥିବାବେଳେ ୨୦୧୬ରେ ଏନ୍‌ଡିଏ ୮୬ ଆସନରେ ସଫଳତା ପାଇଥିଲା। ଭାଜପାକୁ ୬୦, ଆସୋମ ଗଣ ପରିଷଦ(ଏଜିପି) ୧୪ ଓ ବୋଡୋ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌)କୁ ୧୨ ଆସନରେ ସଫଳତା ମିଳିଥିଲା। କଂଗ୍ରେସ ୨୬ ଏବଂ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ପ୍ରଭାବ ରଖୁଥିବା ବଦ୍‌ରୁଦ୍ଦିନ ଅଜମଲଙ୍କ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) ୧୩ ଆସନରେ ବିଜୟୀ ହୋଇଥିଲା। ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି ନିର୍ବାଚନ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଟକ୍କର ଦେଇଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ
୭୬ ଆସନରେ ସଫଳତା ମିଳିଥିବାବେଳେ କଂଗ୍ରେସକୁ ୪୮, ଏଜିପି ୧ ଓ ଅନ୍ୟକୁ ୧ ଆସନ ମିଳିଛି।

ପଣ୍ଡିଚେରୀରେ ପୂର୍ବରୁ କଂଗ୍ରେସ ଶାସନରେ ଥିଲା। ହେଲେ କଂଗ୍ରେସ ଓ ସହଯୋଗୀ ଦଳର କେତେଜଣ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲେ। ଫଳରେ ଆସ୍ଥାଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏଠାରେ ରାଷ୍ଟ୍ରପତି ଶାସନ ଚାଲିଥିବାବେଳେ ପୁଣି ନିର୍ବାଚନ କରାଯାଇଥିଲା। ୩୦ ଆସନରେ ଭୋଟ ଗ୍ରହଣ କରାଯାଇଥିବାବେଳେ ୩ ମନୋନୀତ ସଦସ୍ୟ ରହିଛନ୍ତି। ତେଣୁ ସଂଖ୍ୟାଗରିଷ୍ଠତା ପାଇଁ ୧୭ ବିଧାୟକଙ୍କ ସମର୍ଥନ ଜରୁରୀ। ଏହି ନିର୍ବାଚନରେ ଏନ୍‌.ଆର୍‌. କଂଗ୍ରେସ ଓ ଭାଜପା ମେଣ୍ଟକୁ ୧୬ ଆସନରେ ସଫଳତା ମିଳିଛି। କଂଗ୍ରେସ ୯ ଏବଂ ଅନ୍ୟ ଦଳର ପ୍ରାର୍ଥୀ ୫ ଆସନରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri