ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛି । ରବିବାର କମଳାଗାଁ-ସୁଜାଲି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆୟୋଜିତ ଦଳୀୟ ବୈଠକରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

ଏହି ବୈଠକରେ ଟିଏମ୍‌ସି ଏମପି କଲ୍ୟାଣ ବାନାର୍ଜୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିବା ବେଳେ ଇଟାହାର ବିଧାୟକ ମୁଶରଫ ହୁସେନ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ବୈଠକ ଆରମ୍ଭ ପୂର୍ବରୁ ମମତା ବାନାର୍ଜୀ ମୋବାଇଲ୍ ଫୋନ୍‌ ମାଧ୍ୟମରେ ଉତ୍ତର ଦିନାଜପୁରର କର୍ମୀ ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଦଳ ଛାଡ଼ିଥିବା ଟିଏମ୍‌ସି ଏମପି ଓ ବିଧାୟକମାନଙ୍କୁ ମମତା ୧୫ ଦିନ ମଧ୍ୟରେ ଦଳକୁ ଫେରିବା ପାଇଁ ସମୟ ଦେଇଥିବା କହିଛନ୍ତି। ଏହି ସମୟସୀମା ମଧ୍ୟରେ ଫେରି ନଆସିଲେ ଦଳରେ ସେମାନଙ୍କ ପାଇଁ ସ୍ଥାନ ରହିବ ନାହିଁ ବୋଲି ସେ କହିଛନ୍ତି। ମମତା ଦଳୀୟ ନେତାଙ୍କ ଅପେକ୍ଷା କର୍ମୀ ଓ ସମର୍ଥକମାନେ ହିଁ ତୃଣମୂଳ କଂଗ୍ରେସର ପ୍ରକୃତ ଶକ୍ତି ବୋଲି ମତ ଦେଇଥିଲେ।

ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଜ୍ଞାନେଶ କୁମାର ଦାୟିତ୍ୱରେ ଥିବା ପର୍ଯ୍ୟନ୍ତ ଭାଜପା କ୍ଷମତାରେ ରହିବ ବୋଲି ସେ ଅଭିଯୋଗ କରିଥିଲେ । ତେବେ ନିର୍ବାଚନ ଆୟୋଗ ଓ ଭାଜପା ଏପରି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି । ନିକଟରେ SIR ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଥିବା ବେଳେ ଏହାକୁ ନେଇ ବିବାଦ ଜାରି ରହିଛି। ମମତା କହିଥିଲେ ଯେ, ୧୯୯୮ରେ ଦଳ ଗଠନ କରିବାରେ ସେ ସଫଳ ହୋଇଥିଲେ ଏବଂ ଏବେ ମଧ୍ୟ ଦଳକୁ ପୁଣି ଶକ୍ତିଶାଳୀ କରିପାରିବେ। ସେ ଟିଏମ୍‌ସିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ମତରେ, ଟିଏମ୍‌ସି ବିନା INDIA ମେଣ୍ଟ ଶକ୍ତିଶାଳୀ ହୋଇପାରିବ ନାହିଁ ଏବଂ ଭାଜପା ବିରୋଧରେ ଲଢ଼ିବାକୁ ଦଳକୁ ଆହୁରି ମଜବୁତ କରିବା ଆବଶ୍ୟକ।

ସେହିପରି କଲ୍ୟାଣ ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, “ଭୋଟ ଚୋରି କରି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ସ୍ଥାନ କରିପାରିବେ ନାହିଁ।” ଚୋପଡ଼ାର ହମିଦୁଲ ରହମାନ ଏବଂ ଇସଲାମପୁର ବିଧାୟକ କହ୍ନେୟାଲାଲ ଅଗ୍ରୱାଲଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ।

SIR ପ୍ରସଙ୍ଗକୁ ନେଇ ମଧ୍ୟ କଲ୍ୟାଣ ବାନାର୍ଜୀ ନିର୍ବାଚନ ଆୟୋଗକୁ ସମାଲୋଚନା କରିଥିଲେ। ଆଗାମୀ ନିର୍ବାଚନ INDIA ମେଣ୍ଟ ନାମରେ ଲଢ଼ାଯିବ ଏବଂ ପଶ୍ଚିମବଙ୍ଗରେ ମେଣ୍ଟ ୪୨ଟି ଯାକ ଲୋକ ସଭା ଆସନ ଜିତିବ ବୋଲି ସେ ଦାବି କରିଥିଲେ।

 

Dharitri – Odisha’s No.1 Odia Daily

Share