କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ ଅଧିକାରୀଙ୍କ କଥିତ ବୟାନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ମମତା ବାନାର୍ଜୀଙ୍କ ଦାବି ଅନୁସାରେ, ଏକ ସରକାରୀ କାର୍ଯ୍ୟାଳୟରେ ବସି ଶୁଭେନ୍ଦୁ ଅଧିକାରୀ ତାଙ୍କୁ ଧମକ ଦେଇଥିଲେ । ସେ କହିଥିଲେ ଯେ, ମମତା ଯେପରି ନିଜ ଘରୁ ବାହାରକୁ ଆସିନପାରିବେ, ତାହା ସେ ନିଶ୍ଚିତ କରିବେ। ଏହି ଘଟଣାକୁ ନେଇ ମମତା କହିଛନ୍ତି ଯେ, ଭାରତୀୟ ରାଜନୀତିରେ ଏହା ଏକ ନୂଆ ଅବନତି । ସେ ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତି ଏବଂ ଦେଶର ଜନସାଧାରଣଙ୍କୁ ପ୍ରଶ୍ନ କରିଛନ୍ତି ସମ୍ବିଧାନ ଯେଉଁ ଭାରତର କଳ୍ପନା କରିଥିଲା, ଏହା କ’ଣ ସେହି ଭାରତ?
ମମତା ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ବିରୋଧୀଙ୍କୁ ଧମକ ଦେବା ଏବଂ ଅସହମତିର ସ୍ୱରକୁ ଦମନ କରିବା ଭଳି ପରିବେଶ ସୃଷ୍ଟି କରାଯାଉଛି । ତାଙ୍କ ମତରେ, ଏହା କେବଳ ତାଙ୍କ ବିଷୟ ନୁହେଁ, ବରଂ ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାର ସହ ଜଡିତ ଏକ ବଡ଼ ପ୍ରଶ୍ନ। ମମତା ବାନାର୍ଜୀ ନିଜ ପୋଷ୍ଟର ଶେଷରେ ଶୁଭେନ୍ଦୁ ଅଧିକାରୀଙ୍କୁ ତୀବ୍ର ଟାର୍ଗେଟ୍ କରି କହିଛନ୍ତି ଯେ, ତାଙ୍କ ଅହଂକାର ଚରମ ସୀମାରେ ପହଞ୍ଚିଛି ଏବଂ ହତାଶା ମଧ୍ୟ ବଢ଼ୁଛି। ମମତା ଦାବି କରିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଦିନ ଏବେ ଗଣତିରେ ରହିଯାଇଛି। ତେବେ ମମତାଙ୍କ ଅଭିଯୋଗ ପରେ ଶୁଭେନ୍ଦୁ ଅଧିକାରୀ କଣ ପ୍ରତିକ୍ରିୟା ଦେବେ ତାହା ଦେଖିବାକୁ ବାକି ରହିଲା ।