Categories: ବାଣିଜ୍ୟ

ମାଲ୍ୟାଙ୍କ ପ୍ରତ୍ୟର୍ପଣ: ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ମୁମ୍ବାଇ: ପଳାତକ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଲାଗି ବ୍ରିଟେନରେ ବର୍ତ୍ତମାନ ପ୍ରତ୍ୟର୍ପଣ ଲାଗି ପ୍ରକ୍ରିୟା ଜାରି ରହିଛି। ଏହି ମାମଲା ବର୍ତ୍ତମାନ ଝୁଲି ରହିଛି। ଏହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୬ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୫ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ, ମାଲ୍ୟାଙ୍କୁ ଫେରାଇ ଆଣିବା ଲାଗି ଏକ ଗୁପ୍ତ ଆଇନଗତ ପ୍ରକ୍ରିୟା ହାତକୁ ନିଆଯିବ। ଜଷ୍ଟିସ ୟୁ.ୟୁ.ଲଳିତ ଏବଂ ଜଷ୍ଟିସ ଅଶୋକ ଭୂଷଣ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିର୍ଦ୍ଦେଶରେ କହିଛନ୍ତି, କେନ୍ଦ୍ର ୬ ସପ୍ତାହରେ ଷ୍ଟାଟସ ରିପୋର୍ଟ ପ୍ରଦାନ କରୁ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ଜାନୁୟାରୀ ପ୍ରଥମ ସପ୍ତାହରେ କରାଇବା ଦିଗରେ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ, ବ୍ୟାଙ୍କଗୁଡିକର ଋଣ ନ ଫେରାଇବା ମାମଲାରେ ମାଲ୍ୟାଙ୍କ ବିରୋଧରେ ବର୍ତ୍ତମାନ ମାମଲା ଜାରି ରହିଛି। ଭାରତୀୟ ବ୍ୟାଙ୍କଗୁଡିକ ତାଙ୍କୁ ପ୍ରଦାନ କରିଥିବା ଋଣ ଅର୍ଥ ଫେରିପାଇବା ଲାଗି ମାମଲା କରିଛନ୍ତି। ସେହିଭଳି ନିଜ ପରିବାର ସଦସ୍ୟଙ୍କ ନିକଟକୁ ଏକ ବୃହତ୍‌ ପରିମାଣର ପାଣ୍ଠି ମାଲ୍ୟା ପଠାଇ ଦେଇଥିବା ଅଭିଯୋଗ ଆସିଛି। ସେ ଭାରତ ଛାଡ଼ି ବର୍ତ୍ତମାନ ଲଣ୍ଡନ ପଳାଇଛନ୍ତି। ସେଠାରୁ ତାଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ଲଣ୍ଡନ କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ପରେ ପ୍ରତ୍ୟପଣ ଲାଗି ପ୍ରକ୍ରିୟା ଜାରି ହୋଇଛି। ହେଲେ ଏହି ପ୍ରକ୍ରିୟା କେତେ ବାଟ ଆଗକୁ ବଢ଼ିଲା ତାହା ଏବେ ଯାଏ ସ୍ପଷ୍ଟ ହୋଇପାରିନାହିଁ। ଏହା ଉପରେ ସ୍ପଷ୍ଟ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share