ମାଲକାନଗିରିରେ ୫୪ ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କୋରୁକୋଣ୍ଡା,୧୭।୭(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାର ସର୍ବାଧିକ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ମାଲକାନଗିରି ଜିଲାପାଳ ଟୁଇଟ୍‌ କରି ଜଣାଇଛନ୍ତି। ମାଲକାନଗିରି ପୌରପରିଷଦ, ମାଲକାନଗିରି ବ୍ଲକ, ବାଲିମେଳା ଏନ୍‌ଏସି, କାଲିମେଳା ବ୍ଲକ, ଖଇରିପୁଟ ବ୍ଲକ ଏବଂ ମାଥିଲି ବ୍ଲକରୁ ଏହି ୫୪  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଆକ୍ରାନ୍ତ ମାଲକାନଗିରି ପୌରପରିଷଦ, ୩ ଆକ୍ରାନ୍ତ ମାଲକାନଗିରି ବ୍ଲକ, ୨୧ ଆକ୍ରାନ୍ତ ବାଲିମେଳା ଏନ୍‌ଏସି, ଜଣେ କାଲିମେଳା ବ୍ଲକ, ୬ ଆକ୍ରାନ୍ତ ଖଇରିପୁଟ ବ୍ଲକ ଏବଂ ୨ ଆକ୍ରାନ୍ତ ମାଥିଲି ବ୍ଲକର ବୋଲି ଜଣାପଡିଛି। ମାଲକାନଗିରି ପୌରପରିଷଦର ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଆକ୍ରାନ୍ତ ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ୫ ଆକ୍ରାନ୍ତ ଲକ୍ଷଣ ଥିବା ସୂଚନା ମିଳିଛି। ମାଲକାନଗିରି ବ୍ଲକର ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଲକ୍ଷଣ ଜନିତ କରୋନା ଯୋଦ୍ଧା ହୋଇଥିବା ବେଳେ ଅନ୍ୟ ୨ ଆକ୍ରାନ୍ତ ହଟସ୍ପଟ ଜିଲାରୁ ଫେରିଥିବା ସୂଚନା ମିଳିଛି।
ସେହିପରି କାଲିମେଳା ବ୍ଲକ ଏମ୍‌ଭି-୯୦ର ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା ହୋଇଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ବାଲିମେଳା ଏନ୍‌ଏସିର ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି। ମାଥିଲି ବ୍ଲକର ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ସହ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ହଟସ୍ପଟ ଜିଲାରୁ ଫେରିଥିବା ସହ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି। ଖଇରିପୁଟ ବ୍ଲକର ୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଫେରନ୍ତା ଗୋବିନ୍ଦପାଲ୍ଲୀ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଆକ୍ରାନ୍ତ ହଟସ୍ପଟ ଜିଲାରୁ ଫେରିଥିବା ଏବଂ ଅନ୍ୟ ୨ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ ୨୬୬କୁ ଛୁଇଁଛି। ସେଥିମଧ୍ୟରୁ ୧୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୧୩୮ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।