ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ। ୨୦୨୬ ଟି-୨୦ ବିଶ୍ୱକପରେ ଭାରତକୁ ଚାମ୍ପିଅନ କରାଇବା ପରେ ମଧ୍ୟ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏହା ପରେ ଶ୍ରେୟସ ଆୟରଙ୍କୁ ଟି-୨୦ ଦଳର ନୂଆ ଅଧିନାୟକ କରାଯାଇଛି।
ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ସମୟରେ ସୂର୍ଯ୍ୟକୁମାର ଏହି ପୂରା ଘଟଣାକ୍ରମ ନେଇ ନିଜ ମନର କଥା କହିଛନ୍ତି।
ସୂର୍ଯ୍ୟକୁମାର ସ୍ବୀକାର କରିଛନ୍ତି ଯେ କ୍ୟାପ୍ଟେନ୍ସି ହରାଇବାର ନିଷ୍ପତ୍ତି ତାଙ୍କୁ ନିରାଶ କରିଥିଲା। ତାଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଥିବା ଏବଂ ବଡ଼ ଟୁର୍ନାମେଣ୍ଟ ଜିତୁଥିବା ସମୟରେ ହଠାତ୍ ନେତୃତ୍ୱରେ ପରିବର୍ତ୍ତନ ତାଙ୍କ ପାଇଁ ସହଜ ନଥିଲା। ତେବେ ସେ ଏହି ନିଷ୍ପତ୍ତି ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଚୟନକର୍ତ୍ତାମାନଙ୍କ ନିଷ୍ପତ୍ତିକୁ ସମ୍ମାନ କରିବାକୁ ସେ ଚାହୁଁଥିଲେ। ତାଙ୍କ ମତରେ ଟିମ ମ୍ୟାନେଜମେଣ୍ଟ ଯେଉଁ ନିଷ୍ପତ୍ତି ନେଇଛି, ନିଶ୍ଚିତ ଭାବେ ଦଳର ହିତକୁ ଧ୍ୟାନରେ ରଖି ନେଇଥିବ।
ସୂର୍ଯ୍ୟକୁମାର କହିଛନ୍ତି ଯେ ଦଳ ଘୋଷଣା ହେବାର ପ୍ରାୟ ୨ରୁ ୩ ଦିନ ପୂର୍ବରୁ ଚୟନକର୍ତ୍ତାମାନେ ତାଙ୍କୁ ଫୋନ କରିଥିଲେ। ଏହି ଫୋନ୍ରେ ତାଙ୍କୁ ଆଗାମୀ ସିରିଜ ପାଇଁ ଦଳରେ ଚୟନ କରାଯିବ ନାହିଁ ବୋଲି ପୂର୍ବରୁ ଜଣାଇ ଦିଆଯାଇଥିଲା।
ଏହି ଆଲୋଚନା ସମୟରେ ସେ ଚୟନକର୍ତ୍ତାମାନଙ୍କୁ ଦଳରେ ରଖିବା ପାଇଁ କୌଣସି ଅନୁରୋଧ କରିନଥିଲେ। ନିଷ୍ପତ୍ତିକୁ ସ୍ବୀକାର କରି ଆଗକୁ ବଢ଼ିବାକୁ ସେ ନିଷ୍ପତ୍ତି ନେଇଥିଲେ।
ନୂଆ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କୁ ନେଇ ମଧ୍ୟ ସୂର୍ଯ୍ୟକୁମାର ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ ଶ୍ରେୟସଙ୍କ ସହ ସେ ଦୀର୍ଘ ସମୟ ଧରି କ୍ରିକେଟ ଖେଳିଛନ୍ତି ଏବଂ ସେ ଜଣେ ଭଲ ଖେଳାଳି ହେବା ସହ ଭଲ ଅଧିନାୟକ ମଧ୍ୟ ହୋଇପାରିବେ ବୋଲି ସେ ଜାଣନ୍ତି।
ତେଣୁ କ୍ୟାପ୍ଟେନ୍ସି ଶ୍ରେୟସଙ୍କୁ କାହିଁକି ଦିଆଗଲା, ସେଥିପାଇଁ ସୂର୍ଯ୍ୟକୁମାରଙ୍କର କୌଣସି ଅସନ୍ତୋଷ ନାହିଁ। ତାଙ୍କୁ ଅଧିକ ଯାହା କଷ୍ଟ ଦେଇଥିଲା, ତାହା ହେଉଛି ଯେଉଁ ଦଳ ସହ ସେ ଦୀର୍ଘ ସମୟ କାମ କରିଥିଲେ ଏବଂ ସଫଳତା ହାସଲ କରିଥିଲେ, ସେହି ଦଳରୁ ହଠାତ୍ ତାଙ୍କ ରାସ୍ତା ଅଲଗା ହୋଇଯିବା।
ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ସୂର୍ଯ୍ୟକୁମାର ଭାଙ୍ଗି ପଡ଼ିନାହାନ୍ତି। ଭାରତୀୟ ଦଳକୁ ଫେରିବା ପାଇଁ ସେ କଠିନ ପରିଶ୍ରମ କରୁଥିବା କହିଛନ୍ତି। ତାଙ୍କ ମତରେ ନିଜ ଉପରେ ଧ୍ୟାନ ଦେଇ ପରିଶ୍ରମ ଜାରି ରଖିଲେ ସୁଯୋଗ ମିଳିବା ସମୟରେ ସବୁକିଛି ଠିକ ହୋଇପାରେ।