ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍କ୍ରିପଶନରେ ନିଶା ବଟିକା ଏବଂ କଫ୍ ସିରପ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ ଔଷଧ ବିକ୍ରିକୁ ରୋକିବା ପାଇଁ ଚଳିତମାସ ପହିଲାରୁ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ନିୟମ ପାଳନକୁ ସୁନିଶ୍ଚିତ କରିବା ଲକ୍ଷରେ ଯାଞ୍ଚ ଓ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଶନିବାର ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ନିରାକାରପୁର ସମେତ ଆଖପାଖ ଅଞ୍ଚଳରେ ଥିବା ଔଷଧ ଦୋକାନରେ ଚଢ଼ାଉ କରାଯାଇଥିଲା।
ବିନା ବିଲ୍ରେ ବିକ୍ରି ହେଉଥିବା ନିଶା ବଟିକା ଓ କଫସିରଫ ସମେତ ଷ୍ଟକ୍ ରେକର୍ଡ ଆଦି ଯାଞ୍ଚ କରାଯାଇଥିଲା। ସର୍କଲ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଡ଼ ସୁଦର୍ଶନ ବିଶ୍ୱାଳ, ଔଷଧ ନିରୀକ୍ଷକ ଡ଼ ଅର୍ଦ୍ଧନ୍ଦୁ ଶେଖର ମାନସିଂହ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ।
ଯାଞ୍ଚ ବେଳେ ନିୟମ ଉଲଙ୍ଘନ କରିଥିବା ୨ଟି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି। ବିଭାଗ ପକ୍ଷରୁ ଏଭଳି ଅତର୍କିତ ଚଢ଼ାଉ ଦେଖି ବେଆଇନ ଭାବେ ବିକ୍ରି କରୁଥିବା ଔଷଧ ବେପାରୀମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଚଢ଼ାଉ ବେଳେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ନିରାକାରପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।