ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ମହିଳା କ୍ରିକେଟରମାନେ ଆର୍ଥିକ ସ୍ତରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ।
ନୂତନ ନିୟମ ଅନୁଯାୟୀ, ବରିଷ୍ଠ ମହିଳା କ୍ରିକେଟରଙ୍କ ଦୈନିକ ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ଲେଇଂ-୧୧ରେ ଥିବା ଖେଳାଳିଙ୍କୁ ଦିନକୁ ୨୦,୦୦୦ ଟଙ୍କା ମିଳୁଥିବା ବେଳେ ଏବେ ତାହା ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ରିଜର୍ଭ ଖେଳାଳିଙ୍କ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।
ଜୁନିୟର ଖେଳାଳିଙ୍କ ପାଇଁ ଦୈନିକ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ରିଜର୍ଭ ଖେଳାଳିମାନେ ଏବେ ୫,୦୦୦ ବଦଳରେ ୧୨,୫୦୦ ଟଙ୍କା ପାଇବେ। ଟି-୨୦ ମ୍ୟାଚ୍ ପାଇଁ ସିନିୟର ପ୍ଲେଇଂ-୧୧ ଖେଳାଳିଙ୍କୁ ୨୫,୦୦୦ ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧୨,୫୦୦ ଟଙ୍କା ମିଳିବ।
ବିସିସିଆଇର ନୂତନ ସଭାପତି ମିଥୁନ ମନହାସଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୟ ଶାହାଙ୍କ କାର୍ଯ୍ୟକାଳ ସମୟରେ ମହିଳା କ୍ରିକେଟରଙ୍କ ପାଇଁ ସମାନ ଦରମା ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଶେଷଥର ପାଇଁ ୨୦୨୧ରେ ମହିଳାଙ୍କ ମ୍ୟାଚ୍ ଫି’ରେ ସଂଶୋଧନ କରାଯାଇଥିଲା।
ବୋର୍ଡର ଏହି ପଦକ୍ଷେପ ଦ୍ୱାରା ଦେଶର ହଜାର ହଜାର ମହିଳା କ୍ରିକେଟର ଉପକୃତ ହେବେ ଏବଂ କ୍ରିକେଟକୁ ଏକ ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ଅଧିକ ଉତ୍ସାହିତ ହେବେ।


