ମୀରଟ,୧୪।୧୦: ମୀରଟର ଚର୍ଚ୍ଚିତ “ନୀଳ ଡ୍ରମ” ହତ୍ୟା ମାମଲାରେ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମୀ ସାହିଲ ଶୁକ୍ଳାଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ମୀରଟର ଜିଲା ବିଚାରପତି ଅରବିନ୍ଦ କୁମାର ମିଶ୍ର ଉଭୟଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ରାୟ ଶୁଣାଇବା ସମୟରେ ବିଚାରପତି ମହାଭାରତର ଉଦାହରଣ ଦେଇ କହିଥିଲେ ଯେ, “ଅପରାଧୀଙ୍କୁ ଦଣ୍ଡ ଦେବା ହିଁ ଧର୍ମ।” ଏହା ସହିତ ଅଦାଲତ ଉଭୟ ଦୋଷୀଙ୍କୁ ୨୦-୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି।
ସୌରଭ ରାଜପୁତଙ୍କୁ ୩ ମାର୍ଚ୍ଚ ୨୦୨୫ରେ ହତ୍ୟା କରାଯାଇଥିଲା। ପୋଲିସର ତଥ୍ୟ ଅନୁଯାୟୀ, ହତ୍ୟା ପରେ ମୃତଦେହକୁ ପାଞ୍ଚ ଖଣ୍ଡ କରି ଏକ ନୀଳ ରଙ୍ଗର ଡ୍ରମରେ ଭର୍ତ୍ତି କରି ଲୁଚାଇ ଦିଆଯାଇଥିଲା। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲିସ ତଦନ୍ତ ଶେଷ କରି ଅଭିଯୁକ୍ତ ମୁସ୍କାନ ଏବଂ ସାହିଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଜୁଲାଇ ୨୦୨୫ରେ ଜିଲା କୋର୍ଟରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା। ବିଚାର ସମୟରେ ଅଦାଲତରେ ସମୁଦାୟ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।
ହତ୍ୟା ରାତିରେ ସାହିଲକୁ ସୌରଭଙ୍କ ଘରକୁ ଯିବା ଦେଖିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ।
ହତ୍ୟାରେ ବ୍ୟବହୃତ ଛୁରୀ ମୁସ୍କାନ ଓ ସାହିଲଙ୍କ ଚିହ୍ନଟ ଆଧାରରେ ଜବତ ହେବା।
ଉଭୟଙ୍କ କଲ୍ ଡିଟେଲ୍ସ (CDR) ଏବଂ ସୋସିଆଲ ମିଡିଆ ଚାଟିଂ।
ସୌରଭଙ୍କ ବନ୍ଧୁ ସଞ୍ଜୀବ ପାଲ୍ ଏବଂ ସୌରଭଙ୍କ ମାଆ ରେଣୁଙ୍କ ବୟାନ ଓ କଲ୍ ଡିଟେଲ୍ସ।
ମୁସ୍କାନ ଓ ସାହିଲ ରହିଥିବା ହୋଟେଲର ସିସିଟିଭି ଫୁଟେଜ୍ ଏବଂ ହୋଟେଲ ମ୍ୟାନେଜରଙ୍କ ବୟାନ।
ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟ ସହିତ ଜଡ଼ିତ ଥିବା ମୁସ୍କାନ ଓ ସାହିଲ ରାୟ ଶୁଣି କୋର୍ଟରେ କାନ୍ଦିବାକୁ ଲାଗିଥିଲେ। ରାୟ ପୂର୍ବରୁ ଅଦାଲତ ମୁସ୍କାନକୁ ତାଙ୍କ ପକ୍ଷ ପଚାରିଥିବାରୁ ସେ ନିଜର ଦୁଇ ଝିଅଙ୍କ କଥା କହି ସେମାନଙ୍କ ଯତ୍ନ ନେବାକୁ ଅନୁରୋଧ କରିଥିଲେ। ସେହିପରି ସାହିଲ କୌଣସି ପୁରୁଣା ଅପରାଧ ନ ଥିବା କଥା କହିଥିଲେ।
ଅଦାଲତଙ୍କ ଏହି ରାୟ ପରେ ସୌରଭଙ୍କ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ସୌରଭଙ୍କ ଭାଇ ବବ୍ଲୁ କହିଛନ୍ତି ଯେ, ପରିବାରକୁ ଆରମ୍ଭରୁ ନ୍ୟାୟ ମିଳିବ ବୋଲି ଆଶା ଥିଲା ଏବଂ ସେମାନେ ଉଭୟଙ୍କୁ ଫାଶୀ ଦେବାକୁ ଦାବି କରିଆସୁଥିଲେ। କିନ୍ତୁ ସେମାନେ ମୁସ୍କାନକୁ ଆଉ ପରିବାରରେ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ ଏବଂ ଝିଅମାନଙ୍କ ଡିଏନ୍ଏ ଟେଷ୍ଟ୍ ପାଇଁ ମଧ୍ୟ ରାଜି ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
କୋର୍ଟ ପୂର୍ବରୁ ହିଁ ଏହି ମାମଲାରେ ମୁସ୍କାନ ଏବଂ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରିସାରିଥିଲେ। ବୁଧବାର ଦଣ୍ଡାଦେଶ ସମ୍ପର୍କିତ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉଭୟ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିବା ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।
ଉଲ୍ଲେଖନୀୟ, ମୁସ୍କାନ ଏବଂ ସାହିଲ ସୌରଭଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି, ମୁଣ୍ଡ ଓ ହାତକୁ କାଟି, ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ଦେଇଥିଲେ। ପୋଲିସର କହିବାନୁଯାୟୀ, ପ୍ରେମ ସମ୍ପର୍କରେ ସୌରଭ ବାଧା ସୃଷ୍ଟି କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସକାନ ଏବଂ ସାହିଲ ମାର୍ଚ୍ଚ ୧୮ ତାରିଖରେ ଗିରଫ ହୋଇଥିଲେ।