ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ ଆଂଶିକ ଦୃଷ୍ଟିଶକ୍ତି ଫେରାଇ ଆଣିବାରେ ସଫଳ ହୋଇଛି। ପ୍ରସିଦ୍ଧ ‘ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନ’ (ଏନ୍ଇଏଜେଏମ୍)ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ନୋବେଲ ପୁରସ୍କାରପ୍ରାପ୍ତ ଏହି ବିଜ୍ଞାନ କୌଶଳ ସମ୍ପୂର୍ଣ୍ଣ ନିରାପଦ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଆଶାର କିରଣ ଦେଖାଇଛି।
ବିଶ୍ୱରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ‘ରେଟିନାଇଟିସ୍ ପିଗ୍ମେଣ୍ଟୋସା’ ନାମକ ଏକ ଜେନେଟିକ୍ ଆଖି ରୋଗରେ ପୀଡ଼ିତ, ଯେଉଁଥିରେ ଆଖିପଟଳ (ରେଟିନା)ର ଆଲୋକ-ସମ୍ବେଦନଶୀଳ କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ। ତେବେ ମସ୍ତିଷ୍କକୁ ଦୃଶ୍ୟ ସଙ୍କେତ ପଠାଉଥିବା ‘ଗ୍ୟାଙ୍ଗ୍ଲିଅନ କୋଷ’ଗୁଡ଼ିକ ନଷ୍ଟ ହେବାକୁ ଅଧିକ ସମୟ ନେଇଥାନ୍ତି। ଏହି ନୂତନ ଚିକିତ୍ସାରେ ଗୋଟିଏ ନିରାପଦ କୃତ୍ରିମ ଭୂତାଣୁ ମାଧ୍ୟମରେ ଆଖିରେ ଇଞ୍ଜେକ୍ସନ ଦିଆଯାଏ, ଯାହା ଗ୍ୟାଙ୍ଗ୍ଲିଅନ କୋଷଗୁଡ଼ିକୁ ଆଲୋକ-ସମ୍ବେଦନଶୀଳ ପ୍ରୋଟିନ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥାଏ।
ଏହାପରେ ରୋଗୀଙ୍କୁ ଏକ ବିଶେଷ ପ୍ରକାରର ‘ଲାଇଟ୍-ଷ୍ଟିମୁଲେଟିଂ ଗଗଲ୍ସ’ (ଚଷମା) ପିନ୍ଧିବାକୁ ଦିଆଯାଏ। ଏହି ଚଷମା ବାହ୍ୟ ପରିବେଶର ଦୃଶ୍ୟଗୁଡ଼ିକୁ ଆଲୋକ ସଙ୍କେତରେ ପରିଣତ କରି ଗ୍ୟାଙ୍ଗଲିଅନ କୋଷକୁ ସକ୍ରିୟ କରେ, ଯଦ୍ଦ୍ବାରା ରୋଗୀ ଗୋଟିଏ ରଙ୍ଗର ସ୍ପଷ୍ଟ ଆକୃତି ଦେଖିବାରେ ସମର୍ଥ ହୁଅନ୍ତି ।
‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମୋଲିକ୍ୟୁଲାର ଆଣ୍ଡ୍ କ୍ଲିନିକାଲ ଅଫ୍ଥାଲ୍ମୋଲୋଜି ବାସେଲ’ର ନିର୍ଦ୍ଦେଶକ ପ୍ରଫେସର ବୋଟୋଣ୍ଡ ରୋସ୍କା ଏବଂ ଆମେରିକାର ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟ ମେଡିକାଲ ସେଣ୍ଟରର ଡକ୍ଟର ଜୋସେ-ଆଲେନ୍ ସାହେଲଙ୍କ ନେତୃତ୍ୱରେ ୧୦ ଜଣ ରୋଗୀଙ୍କ ଉପରେ ୫ ବର୍ଷ ଧରି ଏହି ପରୀକ୍ଷଣ କରାଯାଇଥିଲା। ୧୦ ଜଣଙ୍କ ମଧ୍ୟରୁ ୬ ଜଣ ରୋଗୀଙ୍କ ଆଲୋକ ପ୍ରତି ସମ୍ବେଦନଶୀଳତାରେ ଉଲ୍ଲେଖନୀୟ ସୁଧାର ଆସିଥିଲା। ରୋଗୀମାନେ ଟେବୁଲ୍ରେ ଥିବା ନୋଟ୍ବୁକ ଛୁଇଁବା, କବାଟ ଚିହ୍ନଟ କରିବା ଏବଂ ସିଧା ରାସ୍ତାରେ ଚାଲିବା ଭଳି କାର୍ଯ୍ୟ ସହଜରେ କରିପାରିଥିଲେ। ଶରୀର ଉପରେ ଏହାର କୌଣସି ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇନାହିଁ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍କ ହ୍ୟାଙ୍କିନ୍ସ ଏହି ଗବେଷଣାକୁ ସ୍ବାଗତକରି କହିଛନ୍ତି, ଏହା ଦୃଷ୍ଟିହୀନତା ଦୂରକରିବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ। ଗବେଷକମାନଙ୍କ ଆଶା, ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ରୋଗୀମାନଙ୍କୁ ସ୍ପଷ୍ଟ ଦୃଷ୍ଟିଶକ୍ତି ପ୍ରଦାନ କରାଯାଇପାରିବ।