ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା ଅଧୀନ ଭାଳିଆବାଡି ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩କେଜି ୬୦୨ଗ୍ରାମ ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ବାଇକ, ନଗଦ ୧୬ହଜାର ୫ଶହ ଟଙ୍କା, ପଞ୍ଚିଙ୍ଗ ମେସିନ ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୃତ୍ୟୁ ୩କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ବୁଧବାର ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି(କେନ୍ଦ୍ରାଞ୍ଚଳ) ଆଶିଷ ସିଂ କହିଛନ୍ତି।ତାଙ୍କ ନାମରେ ପୂର୍ବରୁ ୩ଟି ମାମଲା ରହିଛି।

ଡିଆଇଜି ସିଂ କହିଲେ ଯେ, ବୁଧବାର ଜଟଣୀ ବାଇପାସରେ ପୋଲିସ ତାଙ୍କୁ ଧରିଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ସ୍ବିକାର କରିଛି। ମନୋରଞ୍ଜନ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ। ଗତ ୨୦୧୯ ଜୁନ ମାସରେ ଏସ୍‌ସିଏଫ୍‌ ଟିମ୍‌ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ।

ଖୋର୍ଦ୍ଧାରେ ବ୍ରାଉନସୁଗାର ମାଫିଆ ରାଜା, ସଞ୍ଜୟ ପ୍ରଧାନ ସହ ଏହାର ଲିଙ୍କ ରହିଛି । ଏହି ହତ୍ୟାକାଣ୍ଡରେ ଅନ୍ୟ କେଉଁ ମାନଙ୍କ ହାତ ରହିଛି, ତାହାର ଖୋଲତାଡ ଜାରି ରହିଛି । ଏଥି ସହିତ ବ୍ରାଉନସୁଗାର କାରବାର ପଛରେ ଅନ୍ୟ କେଉଁ ମାନେ ଅଛନ୍ତି, କେଉଁଠି ବେପାର କରୁଛନ୍ତି, ତାହାର ତଦନ୍ତ କରାଯିବ । ମନୋରଞ୍ଜନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ୭ଦିନ ରିମାଣ୍ଡ ଲାଗି ଆବେଦନ କରାଯିବ ବୋଲି ସେ କହିଛନ୍ତି ।

ଡିଆଇଜି ସିଂ କହିଲେ ଯେ,ଏହି ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଧରିବା ଲାଗି ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନାଧିକାରୀ ଅନିତା ସାହୁ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏଥିସହିତ ଏହି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ପେସିଆଲ ଟିମ ଏସପି ଗଠନ କରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ।

ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ସଦର ଏସ୍‌ଡିପିଓ ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।