Categories: ଖେଳ

ମିଳିଲା ଜାତୀୟ ଦଳର ଦାୟିତ୍ୱ

କଲମ୍ବୋ,୧୩।୧୨: ପୂର୍ବତନ ଅଧିନାୟକ ମହେଳା ଜୟଓ୍ବର୍ଦ୍ଦନେଙ୍କୁ ଶ୍ରୀଲଙ୍କା ଜାତୀୟ ଦଳର ପରାମର୍ଶଦାତା କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା କ୍ରିକେଟର ଟେକନିକାଲ ଉପଦେଷ୍ଟା କମିଟିର ପରାମର୍ଶ କ୍ରମେ ବୋର୍ଡର ଏକ୍ସକ୍ୟୁଟିଭ କମିଟି ଜୟଓ୍ବର୍ଦ୍ଦନେଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି।

ଆସନ୍ତା ୧ ତାରିଖରୁ ଏକ ବର୍ଷ ପାଇଁ ସେ ଦେଶର ପ୍ରତ୍ୟେକ ଜାତୀୟ ଦଳ ସହିତ କାର୍ଯ୍ୟ କରିବେ ବୋଲି ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ କୁହାଯାଇଛି। ଆଗାମୀ ବର୍ଷ ହେବାକୁ ଥିବା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସିନିୟର ଦଳ ସହିତ ଏ’ ଟିମ୍‌ ଓ ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳ ସହ ସେ କାର୍ଯ୍ୟ କରିବେ।

”ଜାତୀୟ କ୍ରିକେଟର ଓ କୋଚ୍‌ମାନଙ୍କ ସହ କାର୍ଯ୍ୟ କରିବା ପାଇଁ ଏହା ଏକ ରୋମାଞ୍ଚକର ସୁଯୋଗ। ଶ୍ରୀଲଙ୍କା କ୍ରିକେଟକୁ ଆଗେଇ ନେବାକୁ ମୁଁ ଆଗ୍ରହୀ। ମୋର ବିଶ୍ୱାସ ଯେ, ସମନ୍ବୟ ଓ ଧ୍ୟାନପ୍ରାପ୍ତ ଦଳ ସହିତ ଆମେ ଭବିଷ୍ୟତରେ କ୍ରମାଗତ ସଫଳତା ହାସଲ କରିପାରିବା। ଆଗାମୀ ବର୍ଷ ଲାଗି ପ୍ରସ୍ତୁତିରେ ଆମ ଦଳର ଜାତୀୟ କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ ସାହାଯ୍ୟ କରିବା ମୋର ମୁଖ୍ୟ କାର୍ଯ୍ୟ ହେବ“ ବୋଲି ପୂର୍ବତନ ଅଧିନାୟକ କହିଛନ୍ତି।

Share