ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୧ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ଆଗତ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟରେ ବିଚାରପତିଙ୍କ ବେଞ୍ଚ ବଦଳିଥିବା ଜଣାଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତି କ୍ରମେ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ବେଞ୍ଚରେ ହେବ। ଆସନ୍ତା ୧୫ ତାରିଖରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ଧାର୍ଯ୍ୟ ହୋଇଛି। ତେବେ ସେ ପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ। ପୂର୍ବରୁ ମାମଲାର ଶୁଣାଣି କରୁଥିବା ବିଚାରପତି ବି.ପି. ରାଉତରାୟ ଏଥିରୁ ଓହରି ଯାଇଥିଲେ।
ସୂଚନାଯୋଗ୍ୟ ଯେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ବିଧାୟକ ଜେନାଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ବ୍ୟକ୍ତିଗତ ହାଜରାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ହାଇକୋର୍ଟରେ ଦାୟର କରିଥିଲେ। ଅକ୍ଟୋବର ୩୧ ତାରିଖରେ ଦାୟର ପିଟିସନ୍‌ ନଭେମ୍ବର ୨ ତାରିଖରେ ଶୁଣାଣି ହୋଇଥିଲା। ଏଥିରେ ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିଲେ। ଏଥିସହ ହାଇକୋର୍ଟ ନିମ୍ନ ଅଦାଲତରୁ ରେକର୍ଡ ତଲବ କରିବା ସହ ବିଧାୟକ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।