୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୩୦ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଜାଗରଯାତ୍ରା ଏବଂ ଯୋରନ୍ଦା ମାଘମେଳା ବିନା ଶ୍ରଦ୍ଧାଳୁରେ ହେବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ସୁରୁଖୁରୁରେ ଉଭୟ କାର୍ଯ୍ୟକ୍ରମ କିପରି ଆୟୋଜନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ।
ମାର୍ଚ୍ଚ ୧ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠରେ ସମସ୍ତ ନୀତିକାନ୍ତି ଅନୁଯାୟୀ ଜାଗରଯାତ୍ରା ପାଳନ କରାଯିବ। ରାଜ ପୁରୋଧାଙ୍କ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ରାତି ୩ଟା ୫୫ରୁ ବେଢା ପୂଜା, ବେଢ଼ା ପରିକ୍ରମା ପରେ ୪ଟା ୨୦ ସୁଦ୍ଧା ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ। ଯାତ୍ରା ପାଇ ବାରବାଙ୍କ ରାସ୍ତା, ମନ୍ଦିର ବେଢା, ପୀଠ ସଂଲଗ୍ନ ବଡ଼ଦାଣ୍ଡ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣ କରାଯିବ। ଯାତାୟାତ, ଜଳଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ଦୋକାନ ପାଇଁ ସ୍ଥାନ ନିରୂପଣ, ଆଶୁ ଚିକିତ୍ସା ଏବଂ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବ। ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଠାକୁରଙ୍କ ସେବାରେ ନିୟୋଜିତ ସେବାୟତଙ୍କ କୋଭିଡ୍‌ ପରୀକ୍ଷା ସାଙ୍ଗକୁ ଆବଶ୍ୟକ ସ୍ଥଳେ ଟିକାଦାନ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ, ମହିମା ସାଧୁ ଶ୍ରୀମଦ୍‌ ରଘୁନାଥ ବାବା, ନିତ୍ୟାନନ୍ଦ ବାବା, ଶୁକଦେବ ବାବା ପ୍ରମୁଖ ଉପସ୍ଥିତ ଥିଲେ।

୧୫ରେ ଯୋରନ୍ଦା ମାଘମେଳା
ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦାରେ ଫେବୃୟାରୀ ୧୫ରେ ପ୍ରସିଦ୍ଧ ମାଘମେଳା ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହେବ। କରୋନା ସଂକ୍ରମଣକୁ ନଜରରେ ରଖି ଜନସାଧାରଣଙ୍କ ସମାବେଶକୁ ବାରଣ କରାଯାଇଛି। କେବଳ ସାଧୁସନ୍ନ୍ୟାସୀମାନେ ଏଥିରେ ଯୋଗଦେଇପାରିବେ। ସମସ୍ତଙ୍କ କୋଭିଡ୍‌ ପରୀକ୍ଷା ହେବ। ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ ଲାଗି ଏକ କମିଟି ଗଠନ କରାଯିବ। ଆଲୋକୀରଣ, ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମାଦକଦ୍ରବ୍ୟ ନିଷେଧ, ପାନୀୟଜଳ ଯୋଗାଣ, ଖାଉଟି ସାମଗ୍ରୀ ଓ ଜାଳେଣି ଯୋଗାଣ, ନିୟନ୍ତ୍ରଣ କକ୍ଷ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।