ପାରମ୍ପରିକ ନୀତିରେ ହେବ ମାଘମେଳା

ଢେଙ୍କାନାଳ ଅଫିସ, ୨୦।୧: ଉପାସନା ସ୍ଥଳୀ ଉଚ୍ଛେଦ ପରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଗୁରୁବାର ପୁଣି ଉଦ୍ୟମ କରିଛି ଜିଲା ପ୍ରଶାସନ। ଆପୋସ ଆଲୋଚନା ପରେ ପ୍ରସିଦ୍ଧ ମାଘମେଳା ଆୟୋଜନ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ଯବନିକା ପଡ଼ିଛି। ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ଫେବୃୟାରୀ ୪ରେ ମହିମା ଧର୍ମାବଲମ୍ବୀଙ୍କ ଏହି ବାର୍ଷିକ ମହୋତ୍ସବ ଆୟୋଜନ କରିବା ଲାଗି ଉଭୟ ଗୋଷ୍ଠୀ ସହମତି ଜଣାଇଛନ୍ତି। ମେଳା ପରେ ବିବାଦର ସମାଧାନ ଲାଗି ପୁଣିଥରେ ଉଦ୍ୟମ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଜିଲା କାର୍ଯ୍ୟାଳୟ ଏବଂ ଯୋରନ୍ଦାରେ ବୁଧବାର ଅନୁଷ୍ଠିତ ଦୁଇ ଦୁଇଟି ବୈଠକ ବିଫଳ ହେବା ପରେ ଗୁରୁବାର ପୁନର୍ବାର ଆଲୋଚନା ଲାଗି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଯୋରନ୍ଦା ଯାଇ ସାଧୁସନ୍ଥଙ୍କ ସହ ବିଚାରବିମର୍ଷ କରିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ସହିତ ଜଡ଼ିତ ମାଘମେଳା ପାରମ୍ପରିକ ନୀତିରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଆଲୋଚନା କରାଯାଇ ଜାଗା ବିବାଦର ସ୍ଥାୟୀ ସମାଧାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲାପାଳ କୁହନ୍ତି, ବର୍ତ୍ତମାନସ୍ଥିତିରେ ଭଜନମଣ୍ଡପ ନିକଟରେ କୌପୀନଧାରୀଙ୍କ ଉପାସନା ଲାଗି ଅସ୍ଥାୟୀ ଧୁନି ମନ୍ଦିର କରାଯିବ। ମାଘମେଳାରେ ଉକ୍ତ ଗୋଷ୍ଠୀର ସାଧୁସନ୍ଥମାନେ ସେମାନଙ୍କ ନୀତିକାନ୍ତି କରିବେ। ମେଳା ପରେ ଦୁଇ ଗୋଷ୍ଠୀର ସାଧୁସନ୍ଥ, ଜନପ୍ରତିନିଧି, ଜିଲା ପ୍ରଶାସନ, ପୋଲିସ ପ୍ରଶାସନର ଉପସ୍ଥିତିରେ ବିବାଦର ସ୍ଥାୟୀ ସମାଧାନ ଲାଗି ଉଦ୍ୟମ କରାଯିବ। ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ଯେପରି ଖ୍ୟାତି ହ୍ରାସ ନ ପାଇବ ଏବଂ ବାହାରକୁ ଖରାପ ବାର୍ତ୍ତା ନ ଯିବ ସେଥିଲାଗି ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।