ସ୍ବାଭାବିକ ସ୍ଥିତିକୁ ଫେରୁଛି ମଧୁରଝୋଳି ଗାଁ

କବିସୂର୍ଯ୍ୟନଗର,୫ା୧୧(ଡି.ଏନ.ଏ: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳି ଗ୍ରାମରେ ଗତ ୨୬ ତାରିଖ ରାତିରେ ଗୁଣି ସନ୍ଦେହରେ ଗ୍ରାମବାସୀ ୪ ପରିବାରକୁ ଆକ୍ରମଣ କରିଥିଲେ। ଏଥିରେ ଝୁନୁ ନାହାକ (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୋଲିସ ୬ଟି ମାମଲା ରୁଜୁ କରି ୪୦ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନେକ ଏବେବି ଫେରାର୍‌ ଅଛନ୍ତି।
ଗୁଣି ଗାରେଡିକୁ କେନ୍ଦ୍ରକରି ମହିଳାଙ୍କୁ ହତ୍ୟା ଓ ଆକ୍ରମଣ ଘଟଣାକୁ ନେଇ ସପ୍ତାହ ଧରି ଚର୍ଚ୍ଚାରେ ରହିଥିବା ମଧୁରଝୋଳି ଗ୍ରାମ ଶୁକ୍ରବାର ସ୍ଥିତି ସାମାନ୍ୟ ହେବାକୁ ଯାଉଛି। ଗ୍ରାମରେ ଧୀରେ ଧୀରେ କୋଳାହଳ ସୃଷ୍ଟି ହୋଇଛି। କୋକୁଆ ଭୟ ପାଲଟିଥିବା ଗାଁକୁ ଗ୍ରାମବାସୀ ଫେରିଲେଣି। ଗ୍ରାମ ବାହାରେ ପୋଲିସ ପ୍ରହରା ଦେଉଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ଖୋଲିଲାଣି। ୨୦୦ ପରିବାର ରହୁଥିବା ଗ୍ରାମର ପ୍ରାୟତଃ ସମସ୍ତେ ଫେରିଲେଣି। ଅନେକ ପୁରୁଷ ଗିରଫ ଭୟରେ ବାହାରକୁ ଚାଲିଗଲେଣି। ବେପାରୀ ଗାଁରେ ଗାଡି, ସାଇକେଲରେ ବୁଲିଲେଣି। ଗ୍ରାମରେ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତି ପଛରେ ତାନ୍ତ୍ରିକ ଓ ମଦ କାରଣ ବୋଲି ସତ ବଖାଣିଛନ୍ତି ଗାଁର ବୃଦ୍ଧ। କିଛି ଦିନ ପୂର୍ବରୁ ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ହୋଇଥିଲେ ଏବଂ ଅନେକଙ୍କ ଜୀବନ ଚାଲିଯାଇଥିଲା। ଏହାର ପ୍ରତିକାର ପାଇଁ ଗ୍ରାମବାସୀ ବୈଠକ କରି ତାନ୍ତ୍ରିକ ଡକାଇଥିଲେ। ତାନ୍ତ୍ରିକ ଆସି ଗ୍ରାମରେ ଗୁଣିଆ କରିଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ଦେବାପରେ ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣା ପଛର ମାଷ୍ଟର ମାଇଣ୍ଡ ତାନ୍ତ୍ରିକକୁ ପୋଲିସ ଗିରଫ କରି ନଥିବା ବେଳେ ପ୍ରଶାସନ ଏହି ଗ୍ରାମର ଲୋକଙ୍କ ମନରେ ରହିଥିବା ଅନ୍ଧବିଶ୍ୱାସ ଦୂରକରି ଗ୍ରାମରେ ଶାନ୍ତି ପ୍ରତିଷ୍ଠା କରିବା ସହିତ ଲୋକଙ୍କୁ ସଚେତନ କରି ପୂର୍ବାବସ୍ଥା ଫେରାଇବାରେ କେବେ ପୂର୍ଣ୍ଣ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।