ମଦନ ସାମନ୍ତଙ୍କ ବାଡ଼ିରେ ୧୫ ଫୁଟର ଅଜଗର: ଲୋକେ ଦେଖି ଛାନିଆ

ମହାକାଳପଡ଼ା, ୧୪।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳବର୍ତ୍ତୀ ବତୀଘର ସଂରକ୍ଷିତ ଜଙ୍ଗଲ ନିକଟ ଉତ୍ତର ଖୋଳା ଗାଁରୁ ଏକ ୧୫ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ଗାଁର ମଦନ ସାମନ୍ତଙ୍କ ବାଡ଼ିରେ ଏହି ବିଶାଳକାୟ ସାପକୁ ଦେଖିବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ।

ସୂଚନା ପାଇବା ପରେ ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କ ନିର୍ଦ୍ଦେଶକ୍ରମେ ବତୀଘର ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ କଂସାର ଡିଆ ଘଞ୍ଚ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

ସ୍ଥାନୀୟ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ଅଜଗର ସମେତ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳେ। ଏହା ସହିତ ସବୁଜ ଓ ହଳଦିଆ ରଙ୍ଗର ବିରଳ ପ୍ରଜାତିର ସାପ ଏବଂ ଅହିରାଜ ମଧ୍ୟ ଏହି ଜଙ୍ଗଲରେ ଦେଖାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ବାଡ଼ିରେ ବିଶାଳ ଅଜଗରକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଥିବା ବେଳେ ବନ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁ ସାପଟିକୁ ଉଦ୍ଧାର କରି ତାହାର ପ୍ରାକୃତିକ ବାସସ୍ଥଳୀରେ ଛଡ଼ାଯାଇଛି।

 

Dharitri – Odisha’s No.1 Odia Daily

 

Share