ବିନା ଭକ୍ତରେ ଉଦ୍‌ଯାପିତ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ଶିତଳା ବେଶରେ ପୂଜା ପାଇଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିରାଡ଼ମ୍ବରରେ ଉଦ୍‌ଯାପିତ ହୋଇଛି। କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାଚ୍ଚର୍ନା କରାଯାଇଛି। ଭୋରରୁ ମନ୍ଦିର ଦ୍ୱାର ଫିଟାଯାଇ ସେବାୟତଙ୍କ ପରିବାର ପକ୍ଷରୁ ଋଷିକୁଲ୍ୟାନଦୀରୁ ୧୦୮ କଳସ ଜଳ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇଥିଲା। ପରମ୍ପରା ଅନୁସାରେ ମଙ୍ଗଳଆଳତି, ଅବକାଶ ନୀତି, ମାଜଣା, ଅଭିଶେକ,ସିଙ୍ଗାର, ଆଦି ପୂଜାର୍ଚ୍ଚନା ପରେ ଦୁଇ ଭଉଣୀଙ୍କୁ ଶିତଳା ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ୭.୧୫ରେ ସାହାଣ ମେଳା କରାଯାଇଥିଲା। ଯେତେବେଳେ ମହାମାରୀ ଭଳି ବିପତ୍ତି ଆସେ ସେତେବେଳେ ଶିତଳା ରୂପେ ମା’ ଙ୍କୁ ଆବାହନ କରାଯାଇଥାଏ। କରୋନା ମହାମାରୀରୁ ବିିଶ୍ବକୁ ରକ୍ଷା ଲାଗି ସ୍ବତନ୍ତ୍ର ପୂଜାପାଠମାନ କରାଯାଇଥିଲା। ବିନା ଭକ୍ତରେ ମନ୍ଦିର ସମ୍ପୂର୍ଣ୍ଣ ରୁପେ ଖାଁ ଖାଁ ହୋଇ ପଡିଛି। କଟକଣା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଲୋକଙ୍କ ଉପରେ ନଜର ରଖାଯାଇଛି।