ଦୀର୍ଘ ୯ ମାସ ପରେ ଖୋଲିଲା ମା’ ତାରାତାରିଣୀ ମନ୍ଦିର

ପୁରୁଷୋତ୍ତମପୁର,୩।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ତଥା ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିର ମହାମାରୀ କରୋନା ଭୂତାଣୁ ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିଥିଲା। ଯାହାକି ଜିଲା ପ୍ରଶାସନର କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ, ରବିବାର ଅତିରିକ୍ତ ଜିଲାପାଳ ଅମିୟ କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ,ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣାଙ୍କ ଉପସ୍ଥିତିରେ ଓ ତତ୍ତ୍ୱାବଧାନରେ ମନ୍ଦିର ଖୋଲାଯାଇଛି। ଭୋର ୪.୩୦ ରେ ମଙ୍ଗଳ ଆଳତି ସହ ମା’ ଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ସହ ମା’ ତାରା ତାରିଣୀଦୁଇ ଭଉଣୀଙ୍କୁ ରାଜ ରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇ ପହିଲି ଭୋଗ ଲାଗି ହେବା ପରେ ସକାଳ ୬.୧୫ ରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। କରୋନା କଟକଣା ଯୋଗୁ ଗର୍ଭଗୃହକୁ ଭକ୍ତମାନେ ଯିବା ଲାଗି ବାରଣ ରହିଥିବାରୁ ଜଗନମୋହନଠାରେ ଭକ୍ତମାନେ ରହି ମା’ଙ୍କୁ ଦର୍ଶନକରି ଆଶୀର୍ବାଦ ଭିକ୍ଷା କରିଥିଲେ। ଦୀର୍ଘଦିନ ପରେ ମନ୍ଦିର ଖୋଲିଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ଦର୍ଶନ ଲାଗି ସୁଅ ଛୁଟୁଛି। ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।