ବୁଲିଲା ମା’ଙ୍କ ବିଜୟ ଛତର ଯାତ୍ରା: ଦର୍ଶନ କରି ଶୁଭ ମନାସିଲେ ଶ୍ରଦ୍ଧାଳୁ

କୋକସରା,୫।୧୦(ଡି.ଏନ.ଏ): ପାର୍ବଣରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଦେବଦେବୀଙ୍କ ପୂଜାରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି। କଳାହାଣ୍ଡି ଜିଲାର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ରକ୍ତଭୋଗ ଲାଗି ହେଉଥିବା ବେଳେ କୋକସରା ବ୍ଲକ ଚିଲିଗୁଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କଠାରେ ଶୁକ୍ଳଭୋଗ ଲାଗି ହୋଇଥିଲା। ଶ୍ରଦ୍ଧାଳୁ ଧୂପ, ମୁଆ, ନଡ଼ିଆ ଭାଙ୍ଗି ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ମା’ସର୍ବମଙ୍ଗଳାଙ୍କ ଛତର ଯାତ୍ରା ବାହାରି ମହାସମାରୋହରେ ଗ୍ରାମ ପରିକ୍ରମା କରିଥିଲା। ମା’ଙ୍କ ଛତର ମନ୍ଦିରରୁ ବାହାରି ପ୍ରଥମେ ଗାଁ ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରୁକୁ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୁଖେ ବାହାରିଥିଲା। ଦେବୀଙ୍କ ଛତର ବାହାରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ସହ ମାନସିକ କରିଥିଲେ। ଦେବୀଙ୍କ ବିଜୟ ଛତର ଯାତ୍ରା ଗାଁ ପରିକ୍ରମା ବେଳେ ସାଂସ୍କୃତିକ ବନାବାଡି, ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ, ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ, ଆଦିବାସୀ ନୃତ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ମା’ଙ୍କୁ ନୃତ୍ୟ ଗୀତର ତାଳେ ତାଳେ ମନ୍ଦିରକୁ ପାଛୋଟି ନିଆଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ସମିତିସଭ୍ୟା ଗାୟତ୍ରୀ ପଣ୍ଡା ଯୋଗଦେଇଥିଲେ। ଅନ୍ୟପଟେ କୋକସରା ପୋଲିସ ପ୍ରଶାସନ, କୋକସରା ଡ୍ରାଇଭର ସଙ୍ଘର କର୍ମକର୍ତ୍ତାମାନେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।