ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡିରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି ଜାରିରହିଛି। ଗତ ଥର ଜାନୁଆରୀ ୨୭ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୫ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା। ଏହା ପୂର୍ବରୁ ୨୦୨୪ ଜୁଲାଇ ୨୪ରେ ହୁଣ୍ଡିରୁ ନଗଦ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୩୩ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା। ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ ୨୦ଟି, ୧୦ ପାଉଣ୍ଡ ନୋଟ୍ ୧୦ଟି, କାନା ୫ କାନାଡିଆନ ଡଲାର ୧ଟି, ଆମେରିକାର ୨୦ ଡଲାର ନୋଟ ୧ଟି ଏବଂ ଥାଇଲାଣ୍ଡର ୧୦୦ ଥାଇ ନୋଟ ରହିଥିଲା।

ସୂଚନା ଥାଉକି, ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହୁଣ୍ଡି ଖୋଲି ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷାକର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


