ମା’ ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

ପୁରୁଷୋତ୍ତମପୁର,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି। କରୋନା କଟକଣାରେ ଯାତ୍ରା ପରିଚାଳନା କରାଯାଉଛି। ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଗହଳିକୁ ନ ଆସିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।

ସୋମବାର ରାତି ସାଢେ ୧ଟାରେ ମନ୍ଦିର ଫିଠାଯାଇ ପରମ୍ପରା ଅନୁସାରେ ଅବକାଶ ନୀତି, ମଙ୍ଗଳ ଆଳତି, ମାଜଣା ଆଦି ରିତିନୀତି ସମ୍ପନ୍ନ କରାଯାଇଥିଲା। ପରେ ସେବାୟତ ମାନେ ମା’ ତାରା ତାରିଣୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରିଥିଲେ।

ଭୋର ସାଢେ ୪ଟାରେ ନୈବେଦ୍ୟ ସଂସ୍କାର, ମହା ଆଳତି ଏବଂ ଘଟ ପରିକ୍ରମା କରାଯାଇଥିଲା। ସକାଳ ୫ଟା ୧୦ରେ ସାହାଣ ମେଲା ହୋଇ ମା’ ତାରା ତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ଏପରି କି ଜନଗହଳିକୁ ନିୟନ୍ତ୍ରଣ ଲାଗି ରାତି ୨ଟାରୁ ମାନସିକ ଧାରି ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ ହୋଇଥିଲା। ଭକ୍ତଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ୍‌ପି ବ୍ରିଜେସ କୁମାର, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ତପନ କୁମାର ରଣାଙ୍କ ସମେତ ସମସ୍ତ ସେବାୟତ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଶାନ୍ତି ଶୃଙ୍ଖାଳକୁ ଦୃଷ୍ଟିରେ ରଖି ୧୩ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।