୩ରେ ଛତର୍‌ ଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଭବାନୀପାଟଣା,୨୦।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମାଣିକେଶ୍ୱରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୨ ତାରିଖ ମହାଷ୍ଟମୀ ପୂଜା ପରେ ମଧ୍ୟରାତିରୁ ଜେନାଖାଳକୁ ମା’ ଯିବେ। ପରେ ୩ ତାରିଖ ସକାଳ ୫ରେ ପୂଜା ଅର୍ଚ୍ଚନା ପରେ ମା’ଙ୍କ ପ୍ରସିଦ୍ଧ ଛତର୍‌ ଯାତ୍ରା ମନ୍ଦିର ଅଭିମୁଖେ ବାହାରିବ। ଏହି ସମୟରେ ଛତର୍‌ ଯାତ୍ରା ଭକ୍ତମାନଙ୍କ ଗହଣରେ ପୂର୍ବାହ୍ନ ୧୦.୩୦ରେ ମନ୍ଦିର ପ୍ରବେଶ କରିବ।

ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ସୁଶାନ୍ତ କୁମାର ପଟେଲ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କରିଥିଲେ। ଗୃହରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଗଲା। ମା’ଙ୍କ ଛତର ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ଜିଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ମା’ଙ୍କ ଛତର ଯାତ୍ରାରେ ରାଜାବାଟି ଦ୍ୱାରା ପୁରସ୍କୃତ ପ୍ରଥମ ଓ ୨ୟ ଘୁମୁରା ଦଳ ବ୍ୟତୀତ ପୋଲିସ ଦ୍ୱାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ। ବୈଠକରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ଼ ଉପଜିଲାପାଳ ସଚିନ ପାୱାର, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା, ଜିଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ, ସହରର ବିଭିନ୍ନ ଦୁର୍ଗା ପୂଜା କମିଟି କର୍ମକର୍ତ୍ତା, ଓକିଲ ସଂଘ ସଭାପତି ସୁବ୍ରତ ବହିଦାର, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡଙ୍କ ସହ ମସ୍‌ଜିଦ କମିଟି ସଭ୍ୟ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।