୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ ଏହାର ଅଭାବ ଦେଖାଦେଇଛି। ଏହାର ସୁଯୋଗ ନେଇ କିଛି ଖୁଚୁରା ବ୍ୟବସାୟୀ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ସିଲିଣ୍ଡର ବିକ୍ରି କରୁଥିବା ଅଭିଯୋଗ ହେଉଛି ।

ବାଂଲାଦେଶ ଏନର୍ଜି ରେଗୁଲେଟୋରି କମିଶନ (BERC) ଗତ ଅକ୍ଟୋବର ୪ ତାରିଖରେ ୧୨ କିଲୋଗ୍ରାମ୍‌ର ଘରୋଇ LPG ସିଲିଣ୍ଡର ଦର ୧,୮୩୭ ଟାକା ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ ଏହି ଦର ୧,୫୮୫ ଟାକା ଥିଲା। ଅର୍ଥାତ୍ ସିଲିଣ୍ଡର ପିଛା ଦର ୨୫୨ ଟାକା ବୃଦ୍ଧି ପାଇଛି।

କିନ୍ତୁ ବଜାରରେ କିଛି ବ୍ୟବସାୟୀ ୧୨ କିଲୋଗ୍ରାମ୍‌ର ସିଲିଣ୍ଡରକୁ ୨,୨୦୦ରୁ ୨,୫୦୦ ଟାକାରେ ବିକ୍ରି କରୁଥିବା ବେଳେ କେତେକ ଅଞ୍ଚଳରେ ଦର ୨,୭୦୦ ଟାକା ପର୍ଯ୍ୟନ୍ତ ପହଞ୍ଚିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଫଳରେ ଗ୍ରାହକଙ୍କୁ ସରକାରୀ ଦରଠାରୁ ୫୦୦ରୁ ୭୦୦ ଟାକା ଅଧିକ ଦେବାକୁ ପଡ଼ୁଛି। ଭାରତରେ ଘରୋଇ LPG ସିଲିଣ୍ଡରର ଓଜନ ୧୪.୨ କିଲୋଗ୍ରାମ୍ ହୋଇଥିବା ବେଳେ ବାଂଲାଦେଶରେ ଘରୋଇ ସିଲିଣ୍ଡରର ଓଜନ ୧୨ କିଲୋଗ୍ରାମ୍ ।

ଉପଲବ୍ଧ ତଥ୍ୟ ଅନୁଯାୟୀ, ଭାରତରେ ୧୪.୨ କିଲୋଗ୍ରାମ୍‌ର ଘରୋଇ ସିଲିଣ୍ଡର ଦର ୯୪୨ ଟଙ୍କା ରହିଛି । ଏହି ହିସାବରେ ପ୍ରତି କିଲୋଗ୍ରାମ୍ ଗ୍ୟାସ୍‌ର ଦାମ୍ ପ୍ରାୟ ୬୬.୩୩ ଟଙ୍କା। ଅନ୍ୟପକ୍ଷରେ ବାଂଲାଦେଶରେ ୧୨ କିଲୋଗ୍ରାମ୍‌ର ସିଲିଣ୍ଡର ପାଇଁ ସରକାରୀ ଦର ଭାରତୀୟ ମୁଦ୍ରାରେ ପ୍ରାୟ ୧,୪୩୦ ଟଙ୍କା ବୋଲି ରିପୋର୍ଟରେ ହିସାବ କରାଯାଇଛି। ଏହି ଅନୁସାରେ ସେଠାରେ ପ୍ରତି କିଲୋଗ୍ରାମ୍ ଗ୍ୟାସ୍‌ର ମୂଲ୍ୟ ପ୍ରାୟ ୧୧୯ ଟଙ୍କା ପଡ଼ୁଛି।

ଗ୍ୟାସ୍ ଯୋଗାଣରେ ଅଭାବ ଥିବାରୁ କିଛି ଅଞ୍ଚଳରେ ଡିଷ୍ଟ୍ରିବ୍ୟୁଟର୍‌ମାନେ ୧,୮୭୦ରୁ ୧,୯୪୫ ଟଙ୍କା ମଧ୍ୟରେ ବିକ୍ରି ହେଉଛି ।ଏହି ପରିସ୍ଥିତିରେ ଭାରତରେ ୧୪.୨ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ପାଇଁ ୯୪୨ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ବାଂଲାଦେଶରେ ଏହାଠାରୁ କମ୍ ଓଜନର ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୨,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।

 

Dharitri – Odisha’s No.1 Odia Daily

Share