ନୂଆଦିଲ୍ଲୀ, ୧୫।୧୦: ଯଦି ଆଜି ଆପଣ ନିଜ ଘର ପାଇଁ ଗ୍ୟାସ ସିଲିଣ୍ଡର ରିଫିଲ କରିବାକୁ ଯାଉଛନ୍ତି, ତେବେ LPG ଦର ବିଷୟରେ ସଠିକ ତଥ୍ୟ ଜାଣିବା ଆପଣଙ୍କ ପାଇଁ ଜରୁରୀ। ଆଜି ଗୁରୁବାର, ଅକ୍ଟୋବର ୧୫ ତାରିଖରେ ସରକାରୀ ତୈଳ ବିପଣନ କମ୍ପାନୀ (OMCs) ଘରୋଇ ଓ ବାଣିଜ୍ୟିକ LPG ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।
ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ଦାମ ୯୩୯.୫୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୯୪୧.୫୦ ଟଙ୍କା ପ୍ରତି ସିଲିଣ୍ଡର ରହିଛି। ଅନ୍ୟପକ୍ଷରେ ବିହାରର ରାଜଧାନୀ ପାଟନାରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୧,୦୩୧.୫୦ ଟଙ୍କା ଥିବାବେଳେ ହାଇଦ୍ରାବାଦରେ ଏହାର ମୂଲ୍ୟ ୯୯୪ ଟଙ୍କା ରହିଛି।
ଏବେ ପ୍ରଶ୍ନ ଉଠୁଛି, ଦେଶର ଅନ୍ୟ ପ୍ରମୁଖ ସହର ତୁଳନାରେ ପାଟନା ଓ ହାଇଦ୍ରାବାଦରେ LPG ସିଲିଣ୍ଡର ଏତେ ମହଙ୍ଗା କାହିଁକି? ଆସନ୍ତୁ ଜାଣିବା ଏହାର କାରଣ।
ଅକ୍ଟୋବର ମାସର ପ୍ରଥମ ତାରିଖରେ ଦେଶରେ ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ଦାମ ୬୨.୫୦ ଟଙ୍କାରୁ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ଦର ବୃଦ୍ଧି ପରେ ପାଟନା ଓ ହାଇଦ୍ରାବାଦରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩,୦୦୦ ଟଙ୍କା ଅତିକ୍ରମ କରିଛି।
ବାଣିଜ୍ୟିକ LPG ସିଲିଣ୍ଡରର ସବୁଠାରୁ କମ ଦର ମୁମ୍ବାଇରେ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ।
ମୁମ୍ବାଇ: ୨,୭୬୪.୫୦ ଟଙ୍କା
ଦିଲ୍ଲୀ: ୨,୮୧୦ ଟଙ୍କା
ହାଇଦ୍ରାବାଦ: ୩,୦୬୫ ଟଙ୍କା
ପାଟନା: ୩,୧୦୦.୫୦ ଟଙ୍କା
ଏହି ଦର ଅନୁସାରେ ହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ ବାଣିଜ୍ୟିକ LPG ସିଲିଣ୍ଡର ପିଛା ୩୦୦.୫୦ ଟଙ୍କାର ପାର୍ଥକ୍ୟ ରହିଛି। ସେହିପରି ପାଟନା ଓ ମୁମ୍ବାଇ ମଧ୍ୟରେ ଏହି ପାର୍ଥକ୍ୟ ୩୩୬ ଟଙ୍କା।
ଗ୍ୟାସ ସିଲିଣ୍ଡରର ଦରରେ ଏହି ପାର୍ଥକ୍ୟର ସବୁଠାରୁ ବଡ଼ କାରଣ ହେଉଛି ପରିବହନ ଓ ବଣ୍ଟନ ଖର୍ଚ୍ଚ। LPG ସିଲିଣ୍ଡରକୁ ପ୍ରଥମେ ରିଫାଇନାରୀରୁ ବଟଲିଂ ପ୍ଲାଣ୍ଟକୁ ଏବଂ ସେଠାରୁ ସ୍ଥାନୀୟ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ପହଞ୍ଚାଇବାକୁ ପଡ଼ିଥାଏ।
ମୁମ୍ବାଇ ଭଳି ସମୁଦ୍ରକୂଳବର୍ତ୍ତୀ ସହରଗୁଡ଼ିକ ରିଫାଇନାରୀ ଓ ଆମଦାନୀ ଟର୍ମିନାଲ ନିକଟରେ ଥିବାରୁ ସେଠାକୁ ବିଦେଶରୁ ଆସୁଥିବା ଗ୍ୟାସ ସହଜରେ ପହଞ୍ଚିପାରେ। ଏହାଦ୍ୱାରା ଦୀର୍ଘ ଦୂରତାର ପରିବହନ ଖର୍ଚ୍ଚ କମ୍ ହୋଇଥାଏ।
ଅନ୍ୟପକ୍ଷରେ, ପାଟନା ଓ ହାଇଦ୍ରାବାଦ ଭଳି ସହର ସମୁଦ୍ରଠାରୁ ଦୂରରେ ଅବସ୍ଥିତ। ଏହି ସହରଗୁଡ଼ିକୁ ଗ୍ୟାସ ପହଞ୍ଚାଇବା ପାଇଁ ରିଫାଇନାରୀ କିମ୍ବା ଟର୍ମିନାଲରୁ ରେଳ ଓ ଟ୍ରକ ମାଧ୍ୟମରେ ଶହ ଶହ କିଲୋମିଟର ଦୂରତା ଅତିକ୍ରମ କରି ବଟଲିଂ ପ୍ଲାଣ୍ଟକୁ ନେବାକୁ ପଡ଼ିଥାଏ।
ଏହି ଅତିରିକ୍ତ ପରିବହନ ଖର୍ଚ୍ଚ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ବଢ଼ାଇ ଦେଇଥାଏ। ତେଣୁ ସହର ଅନୁସାରେ LPG ସିଲିଣ୍ଡରର ଦରରେ ପାର୍ଥକ୍ୟ ଦେଖିବାକୁ ମିଳେ।