ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍ତେଲ ଡ୍ୟାମ୍ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା ଫଳରେ ବିସ୍ଥାପିତ ହୋଇ ନଥିବା କୁମିଆପାଲି ଗଁାର ୮୬ ପରିବାର ଉପରେ ସମସ୍ତଙ୍କ ନଜର ରହିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ସୁକ୍ତେଲ ଜଳଭଣ୍ଡାରର ଜଳସ୍ତର ୧୯୪.୩ ମିଟରକୁ ଛୁଇଁଛି। ଜଳସ୍ତର ୨୦୦ ମିଟରକୁ ଛୁଇଁଲେ ଡ୍ୟାମ୍ ଠେଲାପାଣି କୁମିଆପାଲି ଗଁା ଭିତରକୁ ପଶିବା ଆରମ୍ଭ କରିବ। ଡ୍ୟାମ୍ର ସର୍ବୋଚ୍ଚ ଜଳସ୍ତର ହେଉଛି ୨୦୬ ମିଟର। ଚଳିତବର୍ଷ ସୁକ୍ତେଲ ଡ୍ୟାମ୍ରେ ୨୦୬ ମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣ କରାଯିବ। ଏହାହେଲେ କୁମିଆପାଲି ଗଁା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ। ଏହି ଗଁାରେ ସମୁଦାୟ ୨୪୦ ପରିବାର ବସବାସ କରୁଥିଲେ। ୨୦୨୪ ଜାନୁୟାରୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସମ୍ପୂର୍ଣ୍ଣ ସୁକ୍ତେଲ ଡ୍ୟାମ୍ ଉଦ୍ଘାଟନ କରିବା ପୂର୍ବରୁ କୁମିଆପାଲି ଗଁାର ୮୬ ପରିବାରକୁ ଛାଡି ଅନ୍ୟମାନେ ବିସ୍ଥାପିତ ହୋଇଥିଲେ। ଗଁାରେ ଥିବା କୁମିଆପାଲିର ଆଦିବାସୀମାନେ ଉଚିତ୍ କ୍ଷତିପୂରଣ ଏବଂ ଥଇଥାନ ଦାବିରେ ସଂଘବଦ୍ଧ ଲଢ଼େଇ ଜାରି ରଖିଛନ୍ତି। ୧୦ ଦଫା ଦାବି ପୂରଣ ନହେବା ଯାଏ ଗଁା ଛାଡିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି। ଅନ୍ୟପକ୍ଷରେ ଆସନ୍ତା ସେପ୍ଟେମ୍ବର ମାସ ୨୬ ତାରିଖ ଦିନ ଲୋୟର ସୁକ୍ତେଲ ଡ୍ୟାମ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ଘାଟନ କରିବା ସ୍ଥିର ହୋଇଛି। ସେହିଦିନ ସୁକ୍ତେଲ ଜଳଭଣ୍ଡାରରୁ ଅତ୍ୟାଧୁନିକ ପ୍ରେସର ପାଇପ୍ ସିଷ୍ଟମ୍ ଜରିଆରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ପ୍ରାୟ ୧ ଲକ୍ଷ ଏକର ଚାଷଜମିକୁ ସିଧାସଳଖ ଜଳସେଚନ ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଏଥିସକାଶେ ଲୋୟର ସୁକ୍ତେଲ ଜଳସେଚନ ବିଭାଗ ଏବଂ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏପଟେ ଡ୍ୟାମ ଜଳଭଣ୍ଡାରରେ ପ୍ରତିଦିନ ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା କୁମିଆପାଲି ସୁକ୍ତେଲ ନଦୀ ଶିବମନ୍ଦିର କୂଳକୁ ପାଣି ଛୁଇଁଲାଣି। ଆଉ ଦୁଇ ଚାରି ଦିନ ଭିତରେ ଡ୍ୟାମ୍ ଠେଲା ପାଣି କୁମିଆପାଲି ଗଁାକୁ ପହଞ୍ଚତ୍ ଯିବ। ପ୍ରଶାସନ ପକ୍ଷରୁ କୁମିଆପାଲି ନିକଟ କପିଲବାହାଲ ମୌଜାରେ ଏକ ନୂଆ ପୁନର୍ବାସ କଲୋନୀ ତିଆରି କରାଯାଉଛି। ଠେଲା ପାଣି କୁମିଆପାଲି ଗଁାକୁ ପହଞ୍ଚତ୍ବା ପୂର୍ବରୁ ଲୋକଙ୍କୁ ସେହି ପୁନର୍ବାସ କଲୋନୀକୁ ସ୍ଥାନାନ୍ତର ଯୋଜନା ପ୍ରଶାସନ କରିଛି। ତେବେ ପୁନର୍ବାସ କଲୋନୀ ରହିବା ଯୋଗ୍ୟ ହୋଇ ନଥିବା ଲୋକେ କହିଛନ୍ତି। ଏପର୍ଯ୍ୟନ୍ତ ୭୦ଟି ଘର ନିର୍ମାଣ ଚାଲିଛି। ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ସେଠାରେ ପିଇବା ପାଣି, ପକ୍କା ସଡକ, ସ୍କୁଲ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଏବେ ଗଁାକୁ ରାସ୍ତାରେ ଯିବା ଆସିବା କରିହେଉନାହିଁ। ୨୦୧୩ ଭୂମି ଅଧିଗ୍ରହଣ ଆଇନ ଜରିଆରେ କ୍ଷତିପୂରଣ ଓ ଥଇଥାନ କରାଯାଉ, ଜମି ବଦଳରେ ଜମି ଏବଂ ୧୦ ଡିସମିଲ ଘରଡିହ ଯୋଗାଇ ଦେବାକୁ ଦାବି କରୁଛନ୍ତି। ସେମାନଙ୍କ ଦାବି ସମ୍ପର୍କର ବିଭିନ୍ନ ସମୟରେ ନ୍ୟାୟାଳୟ, ଅନୁସୂଚିତ ଜନଜାତି ଆୟୋଗ, ମାନିବକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଏ ସଂକ୍ରାନ୍ତରେ ଲୋୟର ସୁକ୍ତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇଙ୍କୁ ପଚରା ଯିବାରେ ଲୋକଙ୍କ ଦାବି ମୁତାବକ ଯୁଦ୍ଧକାଳୀନ ଭିତ୍ତିରେ କୁମିଆପାଲି ପୁନର୍ବାସ କଲୋନୀ କାମ ଚାଲିଛି। ଗୋଟିଏ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସା ସରିଛି। ଖୁବ୍ଶୀଘ୍ର ପାଣି ବ୍ୟବସ୍ଥା ଓ ରାସ୍ତାଘାଟ କାମ ସରିଯିବ। ଡ୍ୟାମ୍ର ଜଳସ୍ତର ବଢ଼ିବା ଉପରେ ନଜର ରହିଛି। ଜିଲାପାଳଙ୍କୁ ସବୁ ବିଷୟ ଅବଗତ କରାଯାଉଛି। ବିଭିନ୍ନ ସମୟରେ ଗଁାରେ କ୍ୟାମ୍ପ କରି ଲୋକଙ୍କ ସହ ଆଲୋଚନା କରାଯାଇଛି। ସୁକ୍ତେଲ ପ୍ରକଳ୍ପର ଅନ୍ୟ ଅଧିକାରୀମାନେ ମଧ୍ୟ କୁମିଆପାଲି ଗଁା ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି ବୋଲି ସେ ଜଣାଇଛନ୍ତି।