ଲୋୟର ସୁକ୍‌ତେଲ ପ୍ରକଳ୍ପ: ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍‌ପିଙ୍କ ଆଲୋଚନା

ବଲାଙ୍ଗୀର ଅଫିସ, ୩୦ା୮:  ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ନେଇ ପ୍ରକଳ୍ବ ପ୍ରଭାବିତ ବୁଡି ଅଞ୍ଚଳବାସୀଙ୍କ ସହ ପୂର୍ବତନ ଏମ୍‌ପି କଲିକେଶ ନାରାୟଣ ସିଂଦେଓ ଶନିବାର ଶୈଳଶ୍ରୀ ପ୍ୟାଲେସରେ ଆଲୋଚନା କରିଛନ୍ତି। ବୁଡିଅଞ୍ଚଳ ଅଗ୍ରଗାମୀ ସଂଘ ସଭାପତି ଉପେନ୍ଦ୍ର ସାହୁ, ଦିଲୀପ ନାଏକ ଓ ପ୍ରେମାନନ୍ଦ ସାହୁଙ୍କ ନେତୃତ୍ୱରେ ପ୍ରକଳ୍ପ ପ୍ରଭାବିତ ଗଁାରୁ ଆସିଥିବା ଲୋକମାନେ କଲିକେଶଙ୍କୁ ସେମାନଙ୍କ ସମସ୍ୟା ଜଣାଇଥିଲେ। ୧ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ସର୍ଭେ କରାଯାଇ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଉଚିତ୍‌ କ୍ଷତିପୂରଣ ଓ ଥଇଥାନ, ପ୍ରକଳ୍ପ କାର୍ଯ୍ୟାଳୟ ପାଇଁ ଉର୍ଦ୍ଦିଷ୍ଟ ବିଭିନ୍ନ ପଦବୀ ପୂରଣ କରିବାକୁ ବୁଡି ଅଞ୍ଚଳବାସୀ ଦାବି କରିଥିଲେ । ବୁଡିଅଞ୍ଚଳବାସୀଙ୍କ ସମସ୍ୟାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସମାଧାନ ସହ ପ୍ରକଳ୍ପ କାମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନା ବୈଠକରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ପ୍ରଦୀପ ଗୁରୁ, କୁଳମଣି ମେହେର, କୈଲାସ ମହାନ୍ତି, ଅରୁଣ ମିଶ୍ର, ରାଜେନ୍ଦ୍ର ହୋତା ଉପସ୍ଥିତ ଥିଲେ।