ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଏହି ଲଘୁଚାପଜନିତ ବର୍ଷାରେ ଜିଲାର ଗାଁଠୁ ସହର ସବୁଆଡେ ଜଳମଗ୍ନ ହୋଇ ପଡିଥିଲା। ଏଥିରେ ଜିଲାର ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଥିଲା। ବରଗଡ଼ ସହର ଏଥିରୁ ବାଦ ପଡ଼ି ନ ଥିଲା । ଦୀର୍ଘବର୍ଷ ଧରି ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଥିବା ଯୋଗୁ ବର୍ଷାପାଣି ସହରସ୍ଥିତ ଗଳିକନ୍ଦିରେ ନଈ ଭଳି ପ୍ରବାହିତ ହୋଇଥିଲା। ସେହିପରି ସହରର ତଳି ଅଞ୍ଚଳରେ ରହିଥିବା ଘର ଗୁଡିକୁ ବର୍ଷା ଏବଂ ନର୍ଦ୍ଦମା ପାଣି ପଶିଥିବା ବେଳେ ସରକାରୀ ବସଷ୍ଟାଣ୍ଡ, ବିଭିନ୍ନ କାର୍ଯ୍ୟାଳୟଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ ପଡ଼ି ନ ଥିଲା। ଫଳରେ ଏଥିପାଇଁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସାମାନ୍ୟ ବର୍ଷାରେ ସହରରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବାବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ଏ ପର୍ଯ୍ୟନ୍ତ ଠୋସ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି।
ମଙ୍ଗଳବାର ରାତିରୁ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଜିଲାରେ ସମୁଦାୟ ୧୦୫୬ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେଥିମଧ୍ୟରୁ ଅମ୍ବାଭୋନା ବ୍ଲକରେ ସର୍ବାଧିକ ୧୮୦, ଅତାବିରାରେ ୧୧୬, ବରଗଡ଼ରେ ୧୦୭.୪, ବରପାଲିରେ ୭୦, ଭଟଲିରେ ୯୦.୬, ଭେଡେନରେ ୬୮, ବିଜେପୁରରେ ୮୮, ଗାଇସିଲେଟରେ ୪୧, ଝାରବନ୍ଧରେ ୫୨, ପଦ୍ମପୁରରେ ୬୨, ପାଇକମାଳରେ ୮୦ ଏବଂ ସୋହେଲାରେ ୧୦୧ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବରଗଡ଼ ସହରର ଡ୍ରେନେଜ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇ ପଡ଼ିଥିବା ଯୋଗୁ ବୁଧବାର ସା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାଜଳ ନିଷ୍କାସିତ ହୋଇ ପାରି ନ ଥିଲା। ଫଳରେ ଲୋକଙ୍କୁ ହଟହଟା ହେବାକୁ ପଡିଥିଲା। ସେହିପରି ରାତିସାରା ଅବିଶ୍ରାନ୍ତ ବର୍ଷା ହୋଇଥିବା ଯୋଗୁ ଚାଷୀମାନଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିଛି । ଚାଷୀମାନେ ଫସଲରେ ସାର, କୀଟନାଶକ ପ୍ରୟୋଗ କରିଥିବାବେଳେ ବର୍ଷା ଯୋଗୁ ତାହା ଧୋଇ ହୋଇଯାଇଛି । ସେହିପରି ବିଭିନ୍ନ ପରିବା କିଆରୀ ମଧ୍ୟ ଲଘୁଚାପଜନିତ ବର୍ଷାରେ ଯଥେଷ୍ଟ ପ୍ରଭାବିତ ହୋଇଛି ବୋଲି ଚାଷୀମାନେ କହିଛନ୍ତି।

