ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ ଧରିବା ପରେ, ସ୍ଥାନୀୟ ମନ୍ଦିରରେ ଉଭୟଙ୍କର ବାହାଘର କରାଇ ଦେଇଛନ୍ତି। ଏହି ନିଆରା ବିବାହ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସମ୍ପୂର୍ଣ୍ଣ ଘଟଣାଟି ଏଭଳି। ପାରୁ ଥାନା ଅଞ୍ଚଳର ଜଣେ ୨୦ ବର୍ଷୀୟ ଯୁବକଙ୍କର ସେହି ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ଗତ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା। ଶନିବାର ବିଳମ୍ବିତ ରାତିରେ ଯୁବକ ଜଣକ ନିଜ ପ୍ରେମିକାକୁ ଭେଟିବା ପାଇଁ ଲୁଚିଛପି ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଉଭୟଙ୍କୁ ଏକାଠି ଦେଖି ଗ୍ରାମବାସୀ ଝିଅର ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ।
ଝିଅର ପରିବାର ଏବଂ ଗ୍ରାମବାସୀ ମିଶି ଯୁବକ ଜଣକୁ କାବୁ କରିବା ସହ ତାଙ୍କୁ ବନ୍ଧକ କରି ରଖିଥିଲେ। ପୁଅର ପରିବାରକୁ ଖବର ଦିଆଯାଇଥିଲା। ଖବର ପାଇ ପୁଅର ପରିବାର ଲୋକ, ଗାଁର ପୂର୍ବତନ ସରପଞ୍ଚ ଏବଂ କିଛି ଭଦ୍ରଲୋକ ଝିଅ ଗାଁରେ ପହଞ୍ଚିଥିଲେ। ପ୍ରଥମେ ଝିଅ ପକ୍ଷର ଲୋକେ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ ଧରିବାରୁ ଦୁଇ ପକ୍ଷ ମଧ୍ୟରେ ବେଶ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।
ଘଣ୍ଟା ଘଣ୍ଟା ଧରି ଚାଲିଥିବା ବିବାଦ ଏବଂ ଗାଁ ଭଦ୍ରଲୋକଙ୍କ ପଞ୍ଚାୟତ ପରେ ଉଭୟ ପକ୍ଷଙ୍କୁ ବୁଝାସୁଝା କରାଯାଇଥିଲା। ସାମାଜିକ ପ୍ରତିଷ୍ଠା ଏବଂ ପିଲାମାନଙ୍କ ଭବିଷ୍ୟତକୁ ଆଖିରେ ରଖି ଶେଷରେ ଦୁଇ ପରିବାର ବିବାହ ପାଇଁ ରାଜି ହୋଇଥିଲେ। ଏହାପରେ ରାତି ଅଧରେ ହିଁ ପ୍ରେମୀ ଯୁଗଳଙ୍କୁ ସ୍ଥାନୀୟ ଏକ ମନ୍ଦିରକୁ ନିଆଯାଇ ବୈଦିକ ମନ୍ତ୍ରୋଚାରଣ ସହ ବିବାହ କରାଯାଇଥିଲା।
ଏହି ଘଟଣା ବିଷୟରେ ସ୍ଥାନୀୟ ପାରୁ ଥାନା ପୋଲିସ ଜାଣିବାକୁ ପାଇବା ପରେ ଏକ ଟିମ ଯାଞ୍ଚ ପାଇଁ ପୁଅ ଘରେ ପହଞ୍ଚିଥିଲା। କିନ୍ତୁ ନବବଧୂ ଜଣକ ପୋଲିସ ଆଗରେ ନିଜ ଇଚ୍ଛାରେ ବିବାହ କରିଥିବା ସ୍ପଷ୍ଟ କରିବା ପରେ ପୋଲିସ ମଧ୍ୟ ସେଠାରୁ ଫେରିଯାଇଥିଲା। ବର୍ତ୍ତମାନ ଏହି ବିବାହକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
Dharitri – Odisha’s No.1 Odia Daily

Share