ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ହୃଦୟରୁ ପ୍ରେମର ସୃଷ୍ଟି। ଏହି ହୃଦୟ ବା ଦିଲ୍‌ ଯେତେଦିନ ନିର୍ମଳ ରହେ ପ୍ରେମ ସେତେ ଗାଢ଼ ରହିଥାଏ। ଏହା ଭିତରେ ଲୁଚି ରହିଥିବା ଅନେକ କଥା ପାଟିରେ କହି ନ ହେଲେ ମଧ୍ୟ ଆଖିରୁ ଜଣାପଡିଯାଏ। ତେବେ ନିଜ ପ୍ରେମ ପାଇଁ ଏହି ପ୍ରେମୀ ଯୁଗଳ କେତେ ସମର୍ପିତ ଆଉ ତାହାକୁ ସଫଳ କରିବାକୁ ସେମାନେ କିପରି ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଏବଂ ତାହାକୁ ସାହସର ସହ ସାମନା କରୁଛନ୍ତି ତାହାକୁ ଆଧାର କରି କାହାଣୀ ଗତିଶୀଳ। ତେବେ ଏହି ପ୍ରେମ କାହାଣୀରେ ଭିନ୍ନତା ରହିଛି। ହଁ, ଏହାକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ’। ସାଇଶ୍ରୀ ଫିଲ୍ମସ ଏବଂ ଏ.ପି. ପ୍ରଡକ୍ସନ ବ୍ୟନରରେ ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଆଶିଷ ପ୍ରତାପ ସାମଲ। କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିବେକ କୁମାର। ସତ୍ୟ ସଂଳାପ ରଚନା କରିଥିବା ବେଳେ ଗୀତଗୁଡିକୁ ସ୍ବର ଦେଇଛନ୍ତି ଆଗଧାଡିର ସ୍ବର ସଂଯୋଜକ ବୈଦନାଥ ଦାଶ। ଗୀତଗୁଡିକ ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସୌମ୍ୟା ପାଢ଼ୀ ଏବଂ ଗୌରବ। ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି ଆଶିଷ ଏବଂ ତାଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ଲିପସା। ଏମାନଙ୍କ ବ୍ୟତୀତ ଇପସିତା, ଜୀବନ ପଣ୍ଡା, ଐଶ୍ୱର୍ଯ୍ୟା, ଶଙ୍କର, ପରୀ, ଲକ୍ଷ୍ମୀପ୍ରିୟାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଚିତ୍ରଟିର ଅଡିଓ ରିଲିଜ ନିକଟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସିନେମାଟି ଖୁବ୍‌ ଶୀଘ୍ର ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share