ଆନନ୍ଦପୁର ଅଞ୍ଚଳରେ କମ୍ପନ ସହ ଭୀଷଣ ଶବ୍ଦ, ଲୋକେ ଆତଙ୍କିତ

କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୁଧବାର ପୂର୍ବାହ୍ନରେ କମ୍ପନ ସହିତ ଭୀଷଣ ଶବ୍ଦ ହେବା ଚର୍ଚ୍ଚାର ବିଷୟ ହୋଇଛି। ଶବ୍ଦ ଶୁଣି କେତେକ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଦୁଇ ଥର କମ୍ପନ ଅନୁଭବ କରିବା ସହିତ ଏହି ଶବ୍ଦ ଶୁଣିଥିବା କେତେକ ଲୋକ କହିଛନ୍ତି। ତେବେ ଭୂ-କମ୍ପନ ନା ଆଉ କିଛି ସେନେଇ ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ଏ ନେଇ ଆନନ୍ଦପୁର ଉପଜିଲାପାଳ କହିଛନ୍ତି, ଅଧିକାରୀ ସ୍ତରରେ କୌଣସି ସୂଚନା ନାହିଁ। ଘଟଣା ଉପରେ ନଜର ରଖାଯାଇଛି। ଭୂକମ୍ପ କାରଣରୁ ନୁହେଁ ବୋଲି ଜଳବାୟୁ ବିଭାଗ ସୂଚନା ଦେଇଥିବା ବେଳେ ଏହାର ସତ୍ୟତା ଓ କାରଣ ଖୋଜାଚାଲିଛି। କେନ୍ଦୁଝର ଜିଲା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାର କେତେକ ଅଞ୍ଚଳରେ ଏଭଳି ଘଟଣା ନେଇ ଆଲୋଚନା ହୋଇଛି।