ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତଙ୍କୁ ବାନ୍ଧିଲେ

ଧାମନଗର,୪।୨ – ଗତ କିଛିଦିନ ଧରି ଗ୍ରାମାଞ୍ଚଳରେ ପିଲା ଚୋରି ଗୁଜବ ଚାଲିଥିବାରୁ ବିଭିନ୍ନ ଗଁାରେ ବୁଲାବୁଲି କରୁଥିବା ନିରୀହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ମାଡ଼ ଗାଳିର ଶିକାର ହେଉଛନ୍ତି। କେତେକ ସ୍ଥାନରେ ହାବୁଡ଼ରେ ପଡ଼ିଥିବା ଏଭଳି ମାନସିକ ବିକାରଗ୍ରସ୍ତଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଚୁଟି କାଟିବାକୁ ପଛାଉ ନାହାନ୍ତି ଲୋକେ। ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ଅଞ୍ଚଳରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଚାରିଦିନ ହେଲା ସାରେ କେହି ଜଣେ ଆସି ଘର ବାଡ଼ିରେ ପଶିବା, ପଛପଟେ ଠିଆ ହେବା ଓ ଲୋକଙ୍କୁ ଦେଖି ପଳାଇଯିବା ଭଳି ଘଟଣା ଘଟୁଥିବା କହି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଜଣେ ମଣିଷ ଭଳି ଦେଖାଯାଉଥିବା ଏବଂ ଲୋକ ଦେଖି ଦ୍ରୁତଗତିରେ ପଳାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପିଲା ଚୋର ଗ୍ରାମକୁ ଆସୁଛି ସନ୍ଦେହରେ ଲୋକେ ଭୟରେ ଘର ଚାରିପାଖରେ ଲାଇଟ୍‌ ଲଗାଇବା ସହ ଏଥିପ୍ରତି ନଜର ରଖିଛନ୍ତି। ଗୁରୁବାର ସକାଳୁ ପିଲାଚୋର ସନ୍ଦେହ କରି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଧରିଥିଲେ ସ୍ଥାନୀୟ ଯୁବକ। ତାଙ୍କୁ ମାଡ଼ ମାରିବା ସହ ଗଁା ଦାଣ୍ଡ ଏକ ଲାଇଟ୍‌ ଖୁଣ୍ଟରେ ବାନ୍ଧି ରଖିଥିଲେ। ଛୁଆଧରା ଲୋକ ଧରାପଡ଼ିଥିବା ନେଇ ଖବର ଗ୍ରାମରେ ଚହଳ ପଡ଼ିବାରୁ ସେଠାରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ପରେ ସେ ପ୍ରକୃତରେ ଜଣେ ମାନସିକ ବିକାରଗ୍ରସ୍ତ ହୋଇଥିବା ହୃଦୟଙ୍ଗମ କରି ଲୋକେ ଗାଳି କରିବାରୁ ଯୁବକମାନେ ତାଙ୍କୁ ଛାଡ଼ି ଦେଇଥିଲେ। ପ୍ରକାଶ ଥାଉକି, ସପ୍ତାହେ ତଳେ ଖଡ଼ିପଦା ଦକ୍ଷିଣ କୁରୁଆ ଛକରେ ପିଲାଚୋର ଭାବି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଧରି ଯୁବକମାନେ ମାରଧର କରିଥିବା ଦେଖିବାକୁ ମିଳିଥିଲା।