ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ୨ ଅଭିଯୁକ୍ତ ଗିରଫ

ବଡ଼ବିଲ,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମାଟକାମବେଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ମରଣାନ୍ତକ ଆକ୍ରମଣ କରି ୪ ହଜାର ଟଙ୍କା ଓ ମୋବାଇଲ ଲୁଟ୍‌ ଘଟଣାରେ ପୋଲିସ ଶନିବାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦାମୁ ହଟିଂ ଅଞ୍ଚଳର ଅନିଲ ପଣ୍ଡା ଏବଂ ଅନିଲ ପାତ୍ର।

ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ନରେ ଗାଢା ହଟିଂ ଅଞ୍ଚଳର ଅମର କୁମାର ବେହୁରିଆ ଏମ୍‌ଏନ୍‌ ୦୩ ଏସ୍‌ ୧୯୩୫ ନମ୍ବର ବିଶିଷ୍ଟ ବାଇକ ଯୋଗେ ଡ୍ୟୁଟି ଯାଉଥିବାବେଳେ ମାଟକାମବେଡ଼ା ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ବାଇକ୍‌ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ଅମରଙ୍କ ପକେଟରେ ଥିବା ୪ ହଜାର ଟଙ୍କା ଏବଂ ମୋବାଇଲ ଛଡ଼ାଇ ନେଇଥିଲେ। ଗୁରୁତର ଅବସ୍ଥାରେ ଅମର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ ହୋଇଥିବାବେଳେ ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୬୪/୨୦୨୧ରେ ଏକ ମାମଲା ରୁଜୁ କରି ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।